Odisha Link
Bridging the Missing Links in Odisha

ଆଜି ଅପରାହ୍ନରୁ ଦାଖଲ ହେବ ସୁଭଦ୍ରା ଫର୍ମ, ଜାଣନ୍ତୁ କେବେ ସରିବ ଆବେଦନ ପ୍ରକ୍ରିୟା..

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ପାଇଁ ଆବେଦନ ପତ୍ର ସମ୍ପୂର୍ଣ୍ଣ ମାଗଣା ଏବଂ ଦେୟ ମୁକ୍ତ କରାଯାଇଛି। ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସହିତ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟ କରୁଥିବା ସହାୟିକା, ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ, ଏମବିକେ ଓ କମ୍ୟୁନିଟି ରିସୋର୍ସ ପର୍ସନ ମଧ୍ୟ ଏହି ଯୋଜନାରେ ସହାୟତା ପାଇଁ ଆବେଦନ କରିପାରିବେ। ତେବେ ଆଜି ଅପରାହ୍ନରୁ ଫର୍ମ ଦାଖଲ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ଚଳିତବର୍ଷର ରାଖି ପୂର୍ଣ୍ଣିମା କିସ୍ତି ‌ଆସନ୍ତା ୧୭ ତାରିଖରେ ପ୍ରଦାନ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅର୍ଥ ମିଳିଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ।

ଏହା ସହ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ‘ସୁଭଦ୍ରା’ ଯୋଜନାର ୱେବ ପୋର୍ଟାଲର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ସୁଭଦ୍ରା ଯୋଜନା ସଂପର୍କିତ ସମସ୍ତ ତଥ୍ୟ ଏହି ୱେବ ପୋର୍ଟାଲରେ ଉପଲବ୍ଧ ରହିଛି। ତେଣୁ କୌଣସି ଜାଲି ୱେବସାଇଟ ଦ୍ବାରା ଭ୍ରମିତ ନ ହେବା ଲାଗି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ୱେବ ପୋର୍ଟାଲର ଲିଙ୍କ ହେଉଛି http://www.subhadra.odisha.gov.in। ପୋର୍ଟାଲରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସୂଚନା ଦିଆଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ବ ସହ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଉଲ୍ଲେଖ ରହିଛି। ଯୋଜନା ସଂପର୍କିତ ଯେ କୌଣସି ପ୍ରଶ୍ନର ଉତ୍ତର ଏହି ପୋର୍ଟାଲରେ ମିଳିବ।

ସୁଭଦ୍ରା ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୪୬୭୮ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଓଡିଶାର ଏକ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Leave A Reply

Your email address will not be published.