ବଡ଼ ଖବର: ୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଓଏଲ୍ ବ୍ୟୁରୋ: ଚଳିତ ବର୍ଷଠାରୁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସହ ମୋଟ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏନେଇ ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଚଳିତ ବର୍ଷ ମୋଟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ। ଯୋଜନା ପାଇଁ ମୋଟ ୧୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ରାଜ୍ୟ ସରକାର ଯୋଗାଇ ଦେବେ।
ସେହିପରି ଦ୍ବିତୀୟ ପ୍ରସ୍ତାବ ଭାବେ ଓଡ଼ିଶା ଦ୍ରବ୍ୟ ଓ ସେବା କର, ଅଧିନିୟମ ୨୦୧୭ ରେ କେତେକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ତୃତୀୟ ପ୍ରସ୍ତାବ ଭାବେ ରାଜ୍ୟ କ୍ୟାବିନେଟ ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଏହି ଯୋଜନା ପାଇଁ ୨୦୨୪-୨୫ ରୁ ୨୦୨୭-୨୮ ମଧ୍ୟରେ ମୋଟ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯାହାଫଳରେ ହୀରାକୁଦ ସେଚାଞ୍ଚଳରେ କେନାଲ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ।