ଗୁରୁ ଦିବସରେ ବଡ଼ ଘୋଷଣା, ଚଳିତବର୍ଷରୁ ଲାଗୁ ହେବ ସହିଦ ମାଧୋ ସିଂ ହାତଖର୍ଚ୍ଚ

ଓଏଲ୍ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସରକାରଙ୍କ ବଡ଼ ଘୋଷଣା। ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ମନ୍ତ୍ରୀ କହିଛନ୍ତି, ଚଳିତବର୍ଷରୁ ଲାଗୁ ହେବ ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା। ଏହି ଯୋଜନା ମାଧ୍ୟମରେ ଅଷ୍ଟମ ବା ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ ବା ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା। ସରକାରଙ୍କ ଏହି ଯୋଜନାରେ କ୍ୟାବିନେଟ ମୋହର ମାରିଥିବା ଗୃହରେ ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର ବରପୁତ୍ର ମାନେ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ସେମାନଙ୍କୁ ଉଚିତ୍ ସମ୍ମାନ ଦେବା ହେଉଛି ସରକାରଙ୍କ କର୍ତ୍ତବ୍ୟ। ତେଣୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଘେଁସ୍ ଜମିଦାର୍ ସହିଦ ମାଧୋ ସିଂ ଙ୍କ ସ୍ମୃତିରେ ସରକାର୍ ଆରମ୍ଭ କରିଛନ୍ତି ମାଧୋ ସିଂ ହାତଖର୍ଚ୍ଚ ଯୋଜନା। ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ୍ ହାର କମାଇବରେ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ସହାୟକ ହେବ। ମୋହନ ସରକାରଙ୍କ ନୂଆ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି। ଚଳିତ ବର୍ଷ ଏହି ଯୋଜନାରେ ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ଯୋଜନା ପାଇଁ ମୋଟ ୧୫୬ କୋଟି ଟଙ୍କା ଖର୍ଚ୍ଚ ହେବ।