ଖୁବଶୀଘ୍ର ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ହେବ: ମନମୋହନ

ଓଏଲ୍ ବ୍ୟୁରୋ: ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆସିଛି ବିଜେପି ସରକାର। ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ୧୦୦ ଦିନ ପୂରଣ କରିବାକୁ ଯାଉଛି। ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇ ଉଠିଛି। ଆସନ୍ତାକାଲି ପୁରୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୧୦୦ ଦିନିଆ ରିପୋର୍ଟ କାର୍ଡ ପ୍ରଦାନ କରିବେ। ଏସବୁ ମଧ୍ୟରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବଡ଼ କଥା କହିଛନ୍ତି ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ।
ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ ଚିଟ୍ଫଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ରାଜ୍ୟବାସୀଙ୍କୁ ୧୦୦ ଦିନ ଭିତରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛୁ। ସେହିପରି ଖୁବଶୀଘ୍ର କ୍ଷତିଗ୍ରସ୍ତ ଚିଟ୍ଫଣ୍ଡ ଜମାକାରୀ ଟଙ୍କା ଫେରିପାଇବେ। ଟଙ୍କା ଫେରସ୍ତ ନେଇ ପ୍ରିକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଚନ୍ତି। ବର୍ତ୍ତମାନ ଟଙ୍କା ଫେରସ୍ତ ନେଇ ଆଇନଗତ ତର୍ଜମା କରୁଛି କମିଟି। ଖୁବଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆସିଛି। ଇତି ମଧ୍ୟରେ ଆମ ସରକାରକୁ ୧୦୦ ଦିନ ପୂରଣ ହୋଇଛି। ଏହି ୧୦୦ ଦିନ ଭିତରେ ସରକାର କି କି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଓ ନିର୍ବାଚନୀ ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି, ତାହାର ତାଲିକା ପ୍ରସ୍ତୁତ କରାଯାଇଛି। ଆସନ୍ତାକାଲି ସରକାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୧୦୦ ଦିନିଆ ରିପୋର୍ଟ କାର୍ଡ ପ୍ରଦାନ କରିବେ। ପୁରୀରେ ଆସନ୍ତାକାଲି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏଥିସହିତ ରିପୋର୍ଟ କାର୍ଡ ଉନ୍ମୋଚନ ହେବ।
ସେହିପରି, ୪ ଦିନ ଧରି ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦାୟିତ୍ବ ବଣ୍ଟା ଯାଇଥିବା ସୂଚନା ରହିଛି।