ତିରୁପତି ଲଡୁ ବିବାଦ: ମହାଶାନ୍ତି ହୋମ ଆରମ୍ଭ, ମାମଲାର ତଦନ୍ତ କରୁଛି ଏସ୍ଆଇଟି

ଓଏଲ୍ ବ୍ୟୁରୋ: ତିରୁପତି ମନ୍ଦିର ପ୍ରସାଦକୁ ନେଇ ସାରା ଦେଶରେ ଆରମ୍ଭ ହୋଇଛି ବିତର୍କ। ତିରୁପତି ବାଲାଜୀ ମନ୍ଦିର ପ୍ରସାଦରେ ପଶୁ ଚର୍ବି ମାମଲାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା। ଏସବୁ ମଧ୍ୟୀେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଆଦେଶ ମୁତାବକ ମନ୍ଦିରର ଅପବିତ୍ରତା ଠିକ କରିବା ପାଇଁ ତିରୁମାଳାରେ ଆଜି ଶାନ୍ତି ହୋମ କରାଯାଉଛି। ମନ୍ଦିରର ଶୁଦ୍ଧୀକରଣ ପାଇଁ ହୋମର ଆୟୋଜନ ଶ୍ରୀ ଭେଙ୍କେଟେଶ୍ବର ମନ୍ଦିରର ବଂଗାରୁ ବାବୀ ଯଜ୍ଞଶାଳାରେ କରାଯାଉଛି।
ଅନ୍ୟପଟେ ପ୍ରସାଦ ମାାମଲାର ଗମ୍ଭୀରତାକୁ ନଜରରେ ରଖି ସରକାର ଏହାର ଯାଞ୍ଚ ପାଇଁ ସ୍ବତନ୍ତ୍ର ଇନଭେଷ୍ଟିଗେଶନ ଟିମ୍ (ଏସ୍ଆଇଟି) ଗଠନ କରିଛନ୍ତି। ସରକାର ଯେଉଁ ଏସ୍ଆଇଟି ଗଠନ କରିଛନ୍ତି, ତାର ମୁଖ୍ୟ ଆଇଜି ର୍ୟାଙ୍କର ଅଧିକାରୀ ରହିଛନ୍ତି। ବର୍ତ୍ତମାନ ଏସ୍ଆଇଟି ସମସ୍ତ କାରଣର ଯାଞ୍ଚ କରିବ। ଯାଞ୍ଚ ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ଏସ୍ଆଇଟି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବେ। ଯେପରି କି ଆଉ କେବେ ଯେମିତି କେହି ଅପମିଶ୍ରଣ କରିବାକୁ କେବେ ସାହାସ କରିବେ ନାହିଁ।
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଛନ୍ତି ଯେ ନିୟମ ମୁତାବକ ଜଣେ ସପ୍ଲାୟର୍ସ ପାଖରେ ଅତି କମରେ ୩ ବର୍ଷର ଅନୁଭବ ରହିବା ଦରକାର। ହେଲେ ଜଗନମୋହନ ରେଡ୍ଡି ସରକାର ସେହି ନିୟମକୁ କୋହଳ କରି ୧ ବର୍ଷ କରି ଦେଇଥିଲେ। ସପ୍ଲାୟର୍ସ ପାଖରେ ବାର୍ଷିକ ଟର୍ଣ୍ଣଓଭର ୨୫୦ କୋଟି ରହିବା ଦରକାର। ହେଲେ ଜଗନ ସରକାର ସମୟରେ ତାହାକୁ ୧୫୦ କୋଟି କରି ଦିଆଯାଇଥିଲା। ଜଗନ ସରକାର ସମୟରେ ଏଭଳି ଅବ୍ୟବସ୍ଥା କରାଯାଇଥିଲା। ଯାହାର ପରିଣାମ ଏଭଳି ବୋଲି କହିଛନ୍ତି ନାଇଡୁ।