ପୁଣିଥରେ ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ; ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୋମାଲିକା

ଓଏଲ୍ ବ୍ୟୁରୋ: ବ୍ୟକ୍ତିଗତ କାରଣ ପାଇଁ ପୁଣିଥରେ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ସେ ଚର୍ଚ୍ଚାରେ। ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ ଓହରି ଯିବା ନେଇ ଯୌନ ନିର୍ଯାତନା ଓ ପ୍ରତାରଣାର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ସୋମାଲିକାଙ୍କୁ ବିଧାୟକ ବିଜୟଶଙ୍କରଙ୍କ ପ୍ରତାରଣା ଅଭିଯୋଗ ମାମଲାରେ ଜଗତସିଂହପୁର ଏସ୍ଡିଜେଏମ୍ କୋର୍ଟରେ ସୋମାଲିକା ହାଜର ହୋଇଥିଲେ। ଏବେ ସେ ପୁଣି ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି।
ଅନ୍ୟପଟେ, ପୂର୍ବରୁ ବିସ୍ଫୋରକ ବୟାନ ଦେଇଥିଲେ ସୋମାଲିକା ଦାଶ। ସେ କହିଥିଲେ, ବିଜୟଙ୍କୁ ମୁଁ ଛାଡ଼ିବିନି। କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିବି। ମୋର କଣ କିଛି ଇଜ୍ଜତ ନାହିଁ। ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ? ସେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ? ଏମିତି କହି ବିଜୟଶଙ୍କରଙ୍କ ଉପରେ ବର୍ଷିଥିଲେ ସୋମାଲିକା।
ସେ ଆହୁରି କହିଥିଲେ, ‘ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି। ଜଗତସିଂହପୁର ପୁଲିସ ମୋର ବୟାନ ରେକର୍ଡ କରି ସାରିଛି। ବାରମ୍ବାର ଡାକି ମୋତେ ପଚାରୁଛି ପୁଲିସ, କିନ୍ତୁ ଥରେ ବି ବିଜୟଙ୍କୁ ଡାକି ଜେରା କରିନି। ଦଳ ପାଇଁ ଏଭଳି ସପୋର୍ଟ ମିଳୁଛି। ଜଣେ ସାଧାରଣ ଲୋକ ହୋଇଥିଲେ ସେ କେବେବି ଏପରି କରିନଥାନ୍ତେ। ଯାହା ବି ହେଉ, ୩୦ ଦିନ ଭିତରେ ନିଶ୍ଚିତ ଅଭିଯୋଗ କରିବି ବୋଲି ସୋମାଲିକା କହିଥିଲେ।