Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାରେ ୟୁଟ୍ୟୁବର୍‌ ଇସାକ୍‌ ମୁଣ୍ଡା

ଭୁବନେଶ୍ବର: ଦିନ ମଜୁରିଆରୁ ସଫଳ ଲୋକପ୍ରିୟ ୟୁଟ୍ୟୁବର୍‌ ଇସାକ ମୁଣ୍ଡା ଏବେ ପୁଣି ଚର୍ଚ୍ଚାରେ। ଓଡ଼ିଶାର ଯୁବ ୟୁଟ୍ୟୁବର୍‌ ଇସାକ ମୁଣ୍ଡା ଅତି ସାଧାସିଧା ନିତିଦିନିଆ ଜୀନବ ସବୁ ୟୁଟ୍ୟୁବ୍‌ରେ ଲୋଡ୍‌ କରି ସେ ସାଉଁଟିଛନ୍ତି ଅସରନ୍ତି ପ୍ରଶଂସା। ନିଜ ୟୁଟ୍ୟୁବ୍‌ରୁ ସେ ଅର୍ଜି ପାରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ତେବେ ଏହି ଯୁବ ଲୋକପ୍ରିୟ ୟୁଟ୍ୟୁବର୍‌ ଇସାକ ମୁଣ୍ଡା ନିଜ ରୋଜଗାରରେ ନିଜ ଗାଁ ରାସ୍ତା ମରାମତି କରି ଚର୍ଚ୍ଚାକୁ ଆସିଛନ୍ତି।

ଅନ୍ୟମାନଙ୍କ ପାଇଁ ପ୍ରେରଣାର ପାତ୍ର ପାଲଟିଥିବା ଇସାକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ। ଆଉ ଏହାରି ମଧ୍ୟରେ ଇସାକ୍ ମୁଣ୍ଡା ନିଜ ଗାଁ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ଇସାକ୍‌ଙ୍କ ଗାଁ ବାବୁପାଲି ରାସ୍ତା ଅବସ୍ଥା ପୂରା ଶୋଚନୀୟ ହୋଇପଡ଼ିଥିଲା।

ଇସାକ୍‌ ନିଜ ଖର୍ଚ୍ଚରେ ୩ ଟ୍ରିପ୍‌ ପଥର ଗୁଣ୍ଡ ଓ ଅନ୍ୟ ସାମଗ୍ରୀ କିଣି ରାସ୍ତା ମରାମତି କରିଛନ୍ତି। ୬ଜଣ ଶ୍ରମିକଙ୍କ ମଧ୍ୟ ସେ ସହାୟତା ନେଇଥିଲେ। ଏଥିସହ ଗାଁ ରାସ୍ତାକୁ ପୂରା ପକ୍କା କରିବାକୁ ସେ ପ୍ରଶାସନକୁ ଅନୁରୋଧ ଜଣାଇଛନ୍ତି। ଇସାକ୍‌ ମୁଣ୍ଡାଙ୍କ ଏଭଳି କାର୍ଯ୍ୟ ପାଇଁ ସବୁଠି ପ୍ରଶଂସା ମିଳିଛି।