Odisha Link
Bridging the Missing Links in Odisha

ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନ ପାଇଁ ଇଂଜିନିୟର ଯୁବକଙ୍କର ଅଭିନବ ପ୍ରୟାସ

ବାଲେଶ୍ୱର: ଅକ୍ଟୋବର ଦୁଇରୁ ସମଗ୍ର ଓଡିଶା ହେବ ପ୍ଲାଷ୍ଟିକ ମୁକ୍ତ। ସରକାରୀ ସ୍ତରରେ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ବେଳେ ହାତରେ ଗୋଟିଏ ବସ୍ତା, ବେକରେ ପ୍ଲାଷ୍ଟିକ ବୋତଲର ମାଳ ଗଳେଇ ପାଗଳ ବେଶରେ ଗାଁ ଠୁ ସହର ବୁଲୁଛନ୍ତି ଜଣେ ଇଂଜିନିୟର ଯୁବକ। ଆରମ୍ଭ କରିଛନ୍ତି ଲୋକଙ୍କୁ ସଚେତନ କରିବାର ନୂଆ ତରିକା। ତାଙ୍କର ଅଦ୍ଭୁତ ବେଶଭୁଷା ପାଲଟିଛି ମୁଖ୍ୟ ଆକର୍ଷଣ।
ମୁଣ୍ଡରେ ବନ୍ଧା ହୋଇଛି ଏକ ପଟି ଯେଉଁଥିରେ ଲେଖା ଅଛି ସ୍ଵଚ୍ଛ ଭାରତର ସ୍ଲୋଗାନ୍। ହଁ ଆଜ୍ଞା, ସ୍ବଚ୍ଛ ଭାରତ ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନର ସଂଦେଶ ନେଇ
ଗାଁ ଗାଁରେ ବୁଲୁଛନ୍ତି ୩୫ ବର୍ଷୀୟ ଜଣେ ଡିପ୍ଲୋମା ଇଞ୍ଜିନିୟର୍ ସ୍ବେଚ୍ଛାସେବୀ ଅଭିମନ୍ୟୁ ମିଶ୍ର। ଦେଖିଲେ ଲାଗିବ ସତରେ ପାଗଳଟିଏ କି! କାରଣ ପ୍ଲା୍ଷ୍ଟିକ୍ ବୋତଲସବୁ ରାସ୍ତାକଡ଼ରୁ ଗୋଟାଇ ଅଖାରେ ଭର୍ତ୍ତିକରି ବୁଲୁଛନ୍ତି ସେ ଚିରାଫଟା ପୋଷାକ ପିନ୍ଧି।
କିନ୍ତୁ ବାସ୍ତବତା କିଛିଟା ଭିନ୍ନ। ପ୍ଲାଷ୍ଟିକ୍ ମୁକ୍ତ ଭାରତ ଗଠନ କରିବା ଆଉ ସ୍ବଚ୍ଛଭାରତ ମିଶନ୍ ର ବାର୍ତ୍ତା ଦେବାକୁ ଅଭିମନ୍ୟୁ ଏହି ପ୍ରକାର ଅଭିନବ ବେଶ ଧାରଣ କରିଛନ୍ତି। ଭଲଘରର ଶିକ୍ଷିତ ସମ୍ପନ୍ନ ପରିବାରର ପିଲା ଅଭିମନ୍ୟୁ। ତାଙ୍କର ଏହି ମହତ ଉଦ୍ୟମ ବିଷୟରେ ଜାଣିବା ପରେ ଜନସାଧାରଣ ତାଙ୍କୁ ଉଚ୍ଛ୍ଵସିତ ପ୍ରଶଂସା କରିଛନ୍ତି।
ଅଭିମନ୍ୟୁଙ୍କ ଘର ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକ୍ ଅନ୍ତର୍ଗତ କହ୍ନେଇବିନ୍ଧା ପଞ୍ଚାୟତର ଦଧିବାମନପୁର ଗ୍ରାମରେ। ହରିହର ମିଶ୍ରଙ୍କର ଦ୍ୱିତୀୟ ପୁତ୍ର ହେଉଛନ୍ତି ଅଭିମନ୍ୟୁ ମିଶ୍ର। କହ୍ନେଇବିନ୍ଧା ଦଶଭୂଜା ସରକାରୀ
ମାଧ୍ୟମିକ ବିଦ୍ୟାଳୟରୁ ୧୯୭୩ରେ ମାଟ୍ରିକ୍ ପାଶ୍ କରିବା ପରେ ସିମୁଳିଆ ମହାବିଦ୍ୟାଳୟରୁ +୨ ବିଜ୍ଞାନ ଆଉ ତାପରେ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍‌ କରିଛନ୍ତି ସେ। ତାଙ୍କ ବାପାଙ୍କର ଇଚ୍ଛା ଥିଲା ପୁଅ ପାଠ ପଢ଼ି ଚାକିରି କରିବ। କିନ୍ତୁ ଅଭିମନ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ଏପରି ପ୍ରଭାବିତ ହେଲେ ଯେ ପ୍ରଥମେ ସ୍ବଚ୍ଛ ଭାରତ ମିଶନରେ ପ୍ରତ୍ୟେକ ବ୍ୟକ୍ତି ଶୌଚାଳୟ ବ୍ୟବହାର କରି ମଳମୁକ୍ତ ଗ୍ରାମ ଗଠନ ଲାଗି ସଚେତନତା ଆରମ୍ଭ କଲେ। ବିଗତ ଦୁଇ ବର୍ଷ ହେଲା ସେ ନିଜକୁ ସମାଜସେବାରେ ନିୟୋଜିତ କରିଛନ୍ତି। ଏବେ ସେ ନିଜ ଗ୍ରାମ ଦଧିବାମନପୁରରେ ପାଗଳ ପ୍ରାୟ ମୁଣ୍ଡରେ ପଟି ବାନ୍ଧି, ହାତରେ ଅଖା ଧରି, ବେକରେ ପ୍ଲାଷ୍ଟିକ୍ ମାଳ ପକାଇ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନର ବାର୍ତ୍ତା ବାଣ୍ଟୁଛନ୍ତି।
ଗାଁ ରାସ୍ତାରେ ବୁଲି ବୁଲି ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ୍ ବୋତଲ ଓ ପଲିଥିନ୍ ସଂଗ୍ରହ କରି ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପୋଡ଼ି ନଷ୍ଟ କରିବା ହେଉଛି ଏବେ ଅଭିମନ୍ୟୁଙ୍କ ପ୍ରଧାନ କାମ। ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନକରିବା ଲାଗି ଲୋକଙ୍କୁ ସଚେତନ କରିବା ସହ ପ୍ଲାଷ୍ଟିକମୁକ୍ତ ଭାରତ ଗଠନ ଓ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଥିବା ଏହି ଯୁବକ ଯେ ଜଣେ ପାଗଳ ନୁହନ୍ତି ଜାଣିବା ପରେ ତାଙ୍କୁ ସର୍ବତ୍ର ପ୍ରଶଂସା କରାଯାଉଛି। ତାଙ୍କର ଏ ପ୍ରକାର କାର୍ଯ୍ୟ ନିଶ୍ଚିତ ଭାବେ ଯୁବପିଢି ଓ ସମାଜର ଜନସାଧାରଣଙ୍କୁ ଅନୁପ୍ରେରିତ କରିବ ବୋଲି ଆଶା କରାଯାଇଛି।

Comments are closed.