ଏଥର କଲେଜ୍ ପଢ଼ିବ ବଣ୍ଡା ଝିଅ ‘ଶାନ୍ତି’: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଲା ପରେ ପାଠପଢ଼ା ଦାୟିତ୍ବ ନେଲା ପ୍ରଶାସନ

ମାଲକାନଗିରି : ଆଉ ବାଟ ଓଗାଳିବନି ଦାରିଦ୍ର୍ୟ ଉଚ୍ଚଶିକ୍ଷା ପାଇଁ । ଏଥର ସାକାର ହେବ ବଣ୍ଡା ଝିଅ ଶାନ୍ତିର ସ୍ବପ୍ନ । ମାଟ୍ରିକ ପାସ୍ କରିବା ପରେ କଲେଜରେ ପଢ଼ିବା ପାଇଁ ମୂଲ ଲାଗି ଅର୍ଥ ସଞ୍ଚୟ କରୁଥିବା ଶାନ୍ତି ପାଇଁ ବଢ଼ିଛି ସହାୟତାର ହାତ । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ଦୃଢ଼ମନା ଝିଅ ‘ଶାନ୍ତି’ର ପାଠପଢ଼ା ପାଇଁ ବହୁ ବିଦ୍ବାନ୍ ବ୍ୟକ୍ତି ସହଯୋଗ କରିବାକୁ ପାଇଁ ପ୍ରତିଶୃତି ଦେବା ସହ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ତୁରନ୍ତ ପଦକ୍ଷେପ ନେଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶାନ୍ତିର ପାଠପଢ଼ା ଦାୟିତ୍ବ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଆସିଥିବା ସୂଚନା ମିଳିଛି । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଶାନ୍ତି ସଂପର୍କରେ ତଦନ୍ତ କରି କଲେଜରେ ପାଠ ପଢ଼ାଇବା ପାଇଁ ସମସ୍ତ ସହଯୋଗ କରିବାକୁ ଖଇରପୁଟ ବ୍ଲକ୍ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ଦଶମ ଶ୍ରେଣୀ ପାସ୍ ପରେ କଲେଜରେ ପାଠ ପଢ଼ିବାକୁ ଶାନ୍ତିର ଭାରି ଇଚ୍ଛା । ମାଟ୍ରିକ ପରୀକ୍ଷାରେ ଶାନ୍ତି କମ୍ ନମ୍ବର ରଖିଥିବାରୁ କଲେଜରେ ସିଟ୍ ମିଳିବ ନାହିଁ ବୋଲି ଭାବି ନେଇଥିଲା । ଏହାଛଡ଼ା ଉଚ୍ଚ ଶିକ୍ଷା ପାଇଁ ମନ ଥିଲେ ବି ଉତ୍କଟ ଦାରିଦ୍ର୍ୟ ତା’ର ବାଟ ଓଗାଳୁଥିଲା । ତେବେ ଏଥିରେ ଭାଙ୍ଗି ନ ପଢ଼ି ମୂଲ ଲାଗି ଅର୍ଥ ସଞ୍ଚୟ କରିବାକୁ ମନ ବଳାଇଥିଲା । କଲେଜରେ ପାଠ ପଢ଼ିବାର ସୁଯୋଗ ନମିଳିଲେ କାମ କରିବାକୁ ପଡୋଶୀ ଆନ୍ଧ୍ରପ୍ରଦେଶ ଚାଲିଯିବାକୁ ମନସ୍ଥ କରିଥିଲେ ଶାନ୍ତି । ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ତଥା ବିଭିନ୍ନ ମହଲରୁ ସହାୟତାର ପ୍ରତିଶ୍ରୁତି ମିଳୁଥିବା ଶୁଣି ଶାନ୍ତିର ମନରେ ଉତ୍ସାହ ସୃଷ୍ଟି ହୋଇଛି ।
କେବଳ ଏହି ଜଣେ ଶାନ୍ତି ନୁହେଁ, ଶାନ୍ତି ଭଳି ବଣ୍ଡାଘାଟିର ଏମିତି ଅନେକ ଝିଅ ଆଜି ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହେଉଛନ୍ତି । ମାଟ୍ରିକ୍ ପାସ କରିବା ପରେ ଆଉ ଆଗକୁ ବଢ଼ି ନପାରି ଗାଁରେ ମୂଲ ଲାଗୁଛନ୍ତି । ଆଉ କେତେକ ଦାଦନ ଖଟିବାକୁ ପେଡାଶୀ ରାଜ୍ୟକୁ ଚାଲି ଯାଉଛନ୍ତି । ବଣ୍ଡା ସଂପ୍ରଦାୟର ବିକାଶ ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ହେଁ ଏବେ ବି ବିକାଶ ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି।