ଆସନ୍ତାକାଲିଠାରୁ ଅଲାରନାଥ ମନ୍ଦିରରେ ଚାଲିବ ଅଣସର ଦର୍ଶନ, ହେଲେ ଏ ପର୍ଯ୍ୟନ୍ତ ସଜାଡି ହୋଇନାହିଁ ମନ୍ଦିର
ପୁରୀ : ପରମ୍ପରା ଅନୁସାରେ, ସ୍ନାନ ଯାତ୍ରା ପରେ ମହାପ୍ରଭୁ ଅଣସର ଘରେ ରହିବା ଯାଏ ଭକ୍ତ ଜନଗଣ ଶ୍ରୀଅଲାରନାଥଙ୍କ ଦର୍ଶନ କରି ପୂଣ୍ୟ ଲାଭ କରିଥାନ୍ତି। ଅଣସର ଦର୍ଶନ ପାଇଁ ଶ୍ରୀଅଲାରନାଥ ମନ୍ଦିରରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ତେବେ ମନ୍ଦିର ପରିସରରେ ‘ଫନି’ ପରବର୍ତ୍ତୀ ଅସଜଡ଼ା ଭିତ୍ତିଭୂମି ଏବେ ବି ସଜାଡି ହୋଇନାହିଁ। ଇତିମଧ୍ୟରେ ବାତ୍ୟାକୁ ମାସେରୁ ଅଧିକ ଦିନ ବିତିଛି। ଯଦିଓ ଏହାରି ଭିତରେ କିଛି ମରାମତି କାର୍ଯ୍ୟ ହୋଇଛି, ମନ୍ଦିର ପରିସର କିନ୍ତୁ ସଂପୂର୍ଣ୍ଣ ସ୍ବାଭାବିକ ସ୍ଥିତିକୁ ଆସିନାହିଁ।
ମନ୍ଦିର ଭିତରେ ଲାଗିଥିବା ସବୁ ସିସିଟିଭି କ୍ୟାମେରା ଅଚଳ ହୋଇ ପଡ଼ିଥିବା ବେଳେ କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଏଯାଏ ଘଣ୍ଟି ଲାଗି ନାହିଁ। ଫନି ମାଡରେ ଫାଟିଥିବା ମନ୍ଦିର କାନ୍ଥ ମରାମତି ହୋଇନାହିଁ କି ମନ୍ଦିର ସଂପୂର୍ଣ୍ଣ ରଙ୍ଗ ହୋଇ ନାହିଁ। ମନ୍ଦିର ପ୍ରବେଶ ପଥ ଗୋପ ଛକଠାରେ ଆବର୍ଜନା ପାଣି ଜମି ରହିଛି। ଆଖପାଖରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଭାଙ୍ଗି ପଡିଛି। ମରାମତି ତ ଦୂର କଥା ଏଗୁଡ଼ିକ ରାସ୍ତା ଉପରେ ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି। ହାଇମାଷ୍ଟ ଲାଇଟ୍ ସେମିତି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି।ବଜାର ସାରା ଆବର୍ଜନା ପାଣି। ମନ୍ଦିର ପଛ ପଟେ ଯେଉଁଠି ଅଣସର ଦର୍ଶନ ବେଳେ ଭକ୍ତ ଧାଡ଼ିରେ ଛିଡ଼ା ହୋଇଥାନ୍ତି, ସେଠାରେ ଆଣ୍ଠୁଏ ଲେଖାଏ ବର୍ଷା ପାଣି ଜମି ରହୁଛି। ଶ୍ରୀଜିଉଙ୍କ ଅଣସର ଦର୍ଶନ ପାଇଁ ପ୍ରତି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିବ। କିନ୍ତୁ ମନ୍ଦିରର ଅସଜଡ଼ା ଭିତ୍ତିଭୂମି ଏବେ କର୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ଇତିମଧ୍ୟରେ ଚନ୍ଦନ ଚକଡା ସଫେଇ କାମ ଆରମ୍ଭ ହୋଇଛି। ମନ୍ଦିର ଆଗରେ ଭକ୍ତଙ୍କ ସୁବିଧା ପାଇଁ ଟେଣ୍ଟ କାମ ଚାଲିଛି।
Comments are closed.