Odisha Link
Bridging the Missing Links in Odisha

ଏଣିକି ବିନା ହେଲ୍‌ମେଟ୍‌ରେ ବାଇକ ଚଳାଇଲେ ଦଣ୍ଡିତ ହେବେ: ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ଆପଣ ବିନା ହେଲ୍‌ମେଟ୍‌ରେ ଯାତ୍ରା କରୁଛନ୍ତି କି? ତାହାହେଲେ ସତର୍କ ରୁହନ୍ତୁ କାହିଁକିନା ବିନା ହେଲ୍‌ମେଟ୍‌ରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇପାରିବେ ନାହିଁ। ଆଉ ଯଦି ବି ବିନା ହେଲ୍‌ମେଟ୍‌ରେ ଯାଆନ୍ତି, ଏଥିପାଇଁ ଆପଣଙ୍କୁ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡ଼ିବ। ଏଭଳି କିଛି କଟକଣା ରାଜଧାନୀ ଭୁବନେଶ୍ୱରରେ ଲାଗିଥିବା ସୂଚନା ମିଳିଛି।ଏଣିକି ବିନା ହେଲ୍‌ମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ବାଇକ ଚାଳକ ଯାଇ ପାରିବେନି। ଏହାସହ ରାଜଧାନୀର ପ୍ରମୁଖ ଅଞ୍ଚଳ ଗୁଡ଼ିକରେ ମଧ୍ୟ ବିନା ହେଲ୍‌ମେଟ୍‌ରେ ବାଇକ ଚାଳକ ଯାଇ ପାରିବେନି। ଯଦି ବିନା ହେଲମେଟ୍‌ରେ ବାଇକ ଚଲାଇଲେ କିମ୍ବା ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍ ପୁନିଆ କହିଛନ୍ତି। ଏହି କଟକଣା ଆସନ୍ତା ଏକମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀ ପୁନିଆ କହିଛନ୍ତି। ଗତ କିଛିଦିନ ହେବ ଫ୍ଲାଇ ଓଭର୍‌ରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନ ଏଭଳି କଟକଣା ଜାରି କରିଛି।

ସୂଚନାଥାଉକି, ଚଳିତ ବର୍ଷ ମେ ୨୭ରେ ବାପା ଓ ପୁଅ ଏକ ସ୍କୁଟିରେ ଯାଉଥିବା ବେଳେ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଓଭରବ୍ରିଜ୍‌ରୁ ୩୦ଫୁଟ୍ ତଳକୁ ଖସି ପଡ଼ିଥିଲେ। ସେହିପରି ମେ ୨୫ରେ ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ୨ଜଣ ଛାତ୍ର ବାଇକ୍‌ରେ ଯାଉଥିବା ବେଳେ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଉଛନ୍ତି। ସେଥିପାଇଁ ଲୋକଙ୍କୁ ସେଚତନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରିିଛନ୍ତି। ତେବେ ଜିଲ୍ଲାପାଳ ଲାଗୁ କରିଥିବା ନିୟମ କେବଳ ଘୋଷଣାରେ ସିମୀତ ରହୁଛି ନା ସଠିକ୍‌ ଭାବରେ କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।

Comments are closed.