Odisha Link
Bridging the Missing Links in Odisha

ପ୍ରବେଶିକା ପରୀକ୍ଷାକୁ ନେଇ ବିଭ୍ରାନ୍ତି, ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ABVP

ଭୁବନେଶ୍ବର: ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟର ପ୍ରମୁଖ ବିଶ୍ବ ବିଦ୍ୟାଳୟ ମାନଙ୍କରେ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। କିନ୍ତୁ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ଥିବା ପ୍ରବେଶିକା ପରୀକ୍ଷା ପରୀକ୍ଷାର୍ଥୀଙ୍କୁ ସୁହାଇଲା ଭଳି ବିଭିନ୍ନ ଦିନରେ କରାଇବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦାବି କରିଛି । ଏହା ସହିତ ଆସନ୍ତା ଶିକ୍ଷା ବର୍ଷଠାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର ଏକକ ପ୍ରବେଶିକା ପରୀକ୍ଷା କରାଇବାକୁ ଏବିଭିପି ତାର ପୁରୁଣା ଦାବି ଦୋହରାଇଛି। ଏସମ୍ପର୍କରେ ଏବିଭିପିର ଏକ ପ୍ରତିନିଧି ଦଳ ବୁଧବାର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି।

ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ, ଆସନ୍ତା ଜୁଲାଇ ମାସର ପ୍ରଥମ ସପ୍ତାହରୁ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଯଥା ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ବିଷୟର ପରୀକ୍ଷା ଗୋଟିଏ ଦିନରେ ପଡୁଥିବାରୁ ଏକାଧିକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଆବେଦନ କରିଥିବା ଅନେକ ଛାତ୍ରଛାତ୍ରୀ ପରୀକ୍ଷାରୁ ବଂଚିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଓଡିଆ, ଇଂରାଜୀ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଭୂତତ୍ୱ ବିଜ୍ଞାନ ଏବଂ କମ୍ପ୍ୟୁଟର୍ ସାଇନ୍ସ ଆଦି ବିଷୟଗୁଡିକର ପରୀକ୍ଷା ଗୋଟିଏ ଦିନରେ ରହୁଥିବା ବେଳେ ଏହି ପରୀକ୍ଷାଗୁଡିକୁ ପରୀକ୍ଷାର୍ଥୀଙ୍କୁ ସୁହାଇଲା ଭଳି ବିଭିନ୍ନ ଦିନରେ କରାଇବାକୁ ପରିଷଦ ଦାବି ରଖିଛି।

Comments are closed.