ରାହୁଲଙ୍କ ପାଇଁ ଅନଶନ

ଉତ୍ତରପ୍ରଦେଶ: ରାହୁଲ ଗାନ୍ଧିଙ୍କ ପାଇଁ ଅନସନରେ ବସିଲେ କଂଗ୍ରେସ କର୍ମୀ। ଉତ୍ତରପ୍ରଦେଶର କାନପୁର ଠାରେ କଂଗ୍ରେସ କର୍ମୀ ଆଜିଠୁ ଅନଶନ କରୁଛନ୍ତି। ଆଜି ଦିନ ୧୧ଟାରୁ ଏହି ଅନଶନ ଆରମ୍ଭ ହୋଇଥିବା ସୂଚନା ରହିଛି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ନେଇ ଯେଉଁ ଜିଦି ଧରିଛନ୍ତି ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରି କାନପୁର କଂଗ୍ରେସ କର୍ମୀ ଅନଶନ କରୁଛନ୍ତି। ଗତକାଲି ଏହି ଧାରଣା ବାବଦରେ କାନପୁର କଂଗ୍ରେସ କର୍ମୀ ବିଜ୍ଞପ୍ତି ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ କରିବା ପରେ ନିଜକୁ ଦାୟୀ କରିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଇସ୍ତଫାକୁ କିନ୍ତୁ ଦଳର ସମସ୍ତ କର୍ମୀ ବିରୋଧ କରୁଛନ୍ତି। ଏହି ପରାଜୟ ପାଇଁ ସମସ୍ତେ ଦାୟୀ ବୋଲି କଂଗ୍ରେସ ନେତା ମାନେ କହିଛନ୍ତି। କିନ୍ତୁ ରାହୁଲ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଦୁଇ ଦିନ ତଳେ କିଛି କଂଗ୍ରେସ କର୍ମୀଙ୍କୁ ବୁଝାଇବାକୁ ଯାଇ ନିଜ ଘରେ ଏକ ଛୋଟିଆ ବୈଠକ କରିଥିଲେ ରାହୁଲ ଗାନ୍ଧି। ଯେଉଁଥିରେ ସେ ନିଜର ମନର କଥା କର୍ମୀଙ୍କୁ କହିଥିଲେ, କାହିଁକି ସେ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଦଳର ପରାଜୟ ପରେ କୌଣସି ମୁଖ୍ୟମନ୍ତ୍ରୀ, ପ୍ରଦେଶ ଅଧ୍ୟକ୍ଷ ଏଯାଏ ଇସ୍ତଫା ଦେଇ ନାହାନ୍ତି, ତେଣୁ ସେ ହିଁ ପରାଜୟ ପାଇଁ ଦାୟୀ ବୋଲି ଚିନ୍ତା କରି ଇସ୍ତଫା ଦେଇଛନ୍ତି ବୋଲି ରାହୁଲ ଗାନ୍ଧି କହିଥିଲେ।