Odisha Link
Bridging the Missing Links in Odisha

ନାଳକୁ ଖସିଲା ବସ୍: ୨୯ ମୃତ, ୨୦ ରୁ ଅଧିକ ଆହତ

ଆଗ୍ରା: ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେ ନିକଟରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ଆଗ୍ରାର ନାଳରେ ଖସି ପଡ଼ିଥିଲା। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏତ୍ତମାଦପୁର ନିକଟସ୍ଥ ଝରଣା ନାଳରେ ବସ୍‌ଟି ଭାରସାମ୍ୟ ହରାଇ ପଡ଼ି ଯାଇଥିଲା। ବସ୍‌ଟିରେ ୫୦ରୁ ଅଧିକ ଲୋକ ଥିଲେ। ଦୁର୍ଘଟଣା ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହିତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହିତ ମୃତଦେହ ଗୁଡ଼ିକୁ ବାହାରକୁ ଆଣିଥିଲେ। ଉତ୍ତର ପ୍ରଦେଶ ପୁଲିସ୍‌ ଟ୍ୱିଟ୍‌ କରି କହିଛି, ବସ୍‌ଟି ପୋଲ ଉପରୁ ଏକ ନାଳକୁ ଖସି ପଡ଼ିଥିଲା। ପ୍ରାୟ ୧୫ ଫୁଟ୍ ତଳେ ବସ୍‌ଟି ପଡ଼ିଥିଲା। ୨୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇଛି।” ବସ୍‌ଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ସ୍ପଷ୍ଟ ହୋଇନି। ତେବେ ଡ୍ରାଇଭର ଶୋଇ ପଡ଼ିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାର ପାଇଁ ଉତ୍ତର ପ୍ରଦେଶ ରୋଡ୍‌ୱେଜ୍ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ୧୬୫ କିଲୋମିଟରର ଯମୁନା ଏକ୍ସପ୍ରେସ୍ ନୋଏଡା ଓ ଆଗ୍ରାକୁ ସଂଯୋଗ କରୁଛି।

Comments are closed.