ଅହମଦାବାଦ କୋର୍ଟରେ ଆଜି ରାହୁଲ ଗାନ୍ଧି ହାଜର ହେବେ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅସୁବିଧାରେ ପଡ଼ିଛନ୍ତି ରାହୁଲ ଗାନ୍ଧି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବର୍ତ୍ତମାନ ସମୟରେ ଅନେକ ଗୁଡ଼ିଏ ମାନହାନି ମାମଲାର ସାମ୍ନା କରୁଛନ୍ତି। ଆଜି ଅହମଦାବାଦ କୋର୍ଟରେ ରାହୁଲ ଗାନ୍ଧି ହାଜର ହେବେ। ଏଥି ସହିତ ଚଳିତ ମାସର ଚତୁର୍ଥ ମାନହାନି ମକଦ୍ଦମାରେ ନିଜ ପକ୍ଷ ରଖିବେ। ଏଥିପାଇଁ ସେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଗୁଜରାଟ ପହଞ୍ଚିବାର ସୂଚନା ରହିଛି।
ସୂଚନାଥାଉକି, ରାହୁଲ ଗାନ୍ଧି ଏବଂ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଅହମଦାବାଦ ଜିଲ୍ଲା କୋପରେଟିଭ ବ୍ୟାଙ୍କ ଏବଂ ଅଧ୍ୟକ୍ଷ ଅଜୟ ପଟେଲଙ୍କ ନାଁରେ ଦୂର୍ନୀତି ଅଭିଯୋଗ ଆଣିଥିଲେ। ଗତବର୍ଷ ଏକ ମୁମ୍ୱାଇ ଆରଟିଆଇ କର୍ମୀଙ୍କ ତଥ୍ୟକୁ ଆଧାର କରି ଏହି ଅଭିଯୋଗ ଆଣିଥିଲେ ରାହୁଲ ଗାନ୍ଧି ଏବଂ ସୁରଜେଓ୍ୱାଲା। ସେ କହିଥିଲେ ନୋଟବନ୍ଦୀ ସମୟରେ ଅହମଦାବାଦ ଜିଲ୍ଲା କୋପରେଟିଭ ବ୍ୟାଙ୍କ୍ ୭୪୫.୫୯ କୋଟି ଟଙ୍କାର କଳା ଟଙ୍କାକୁ ଧଳା କରିଛି। ଏହାପରେ ବ୍ୟାଙ୍କ ଏବଂ ବ୍ୟାଙ୍କର ଅଧ୍ୟକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ଏହି ଦୁଇ କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଥିଲେ।
ଏପ୍ରିଲ ୯ରେ ଉଭୟଙ୍କୁ ଅହମଦାବାଦ କୋର୍ଟ ନୋଟିସ ପଠାଇଥିଲେ। ମେ ୨୭ରେ ରାହୁଲଙ୍କୁ ହାଜର ହେବା ପାଇଁ ନୋଟିସ ହୋଇଥିଲା କିନ୍ତୁ ସେ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ। ପରେ ଆଜି କୋର୍ଟରେ ହାଜର ହୋଇ ଉଭୟ ରାହୁଲ ଏବଂ ସୁରଜେଓ୍ୱାଲା ପକ୍ଷ ରଖିବେ। ସୂଚନାଥାଉ କି ଏହି ବ୍ୟାଙ୍କର ଅନ୍ୟତମ ନିର୍ଦ୍ଦେଶକ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରହିଛନ୍ତି।