Odisha Link
Bridging the Missing Links in Odisha

ବଜେଟ ଅନୁଦାନ ଦାବି ଆଲୋଚନା : ବିଧାନସଭା

ଭୁବନେଶ୍ୱର : ଆଜିଠାରୁ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷର ବଜେଟ ଅନୁଦାନ ଦାବି ଉପରେ ଆଲୋଚନା ଆରମ୍ଭ ହେବ। ଏହି ଆଲୋଚନା ମଝିରେ ଦୁଇଟି ରବିବାରକୁ ଛାଡ଼ି ଦୀର୍ଘ ୧୪ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ବିଭାଗର ଅନୁଦାନ ଦାବି ଉପରେ ଆଲୋଚନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଦିନ ଓ ସମୟ ଧାର୍ଯ୍ୟ ହୋଇଛି।
୧୫ ତାରିଖରେ ରାଜସ୍ବ ଏବଂ ଅବକାରୀ ବିଭାଗର ଅନୁଦାନ ଦାବି ଉପରେ ଆଲୋଚନା କରାଯିବାକୁ ସ୍ଥିର ହୋଇଛି। ଅନୁଦାନ ଦାବି ଆଲୋଚନା ବେଳେ ବିରୋଧୀ ମଦ ଦୋକାନୀଙ୍କୁ ପ୍ରୋତ୍ସାହିତ କରିବା ନେଇ ଅବକାରୀ ବିଭାଗ ଅନୁଦାନ ଦାବି ଯାଞ୍ଚ କରି ସ୍ଥାୟୀ କମିଟି ଦେଇଥିବା ରିପୋର୍ଟ ଉପରେ ସରକାରଙ୍କୁ ଘେରିବା ଯୋଜନା ରହିଛି। ୧୬ ତାରିଖରେ ଜଳସମ୍ପଦ ବିଭାଗ, ୧୭ରେ କୃଷି, ୧୮ରେ ଯୋଜନା ଓ ସଂଯୋଜନା, ୧୯ରେ ପଞ୍ଚାୟତିରାଜ, ୨୦ରେ ଇସ୍ପାତ, ଖଣି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅନୁଦାନ ଦାବି ଉପରେ ଆଲୋଚନା ହେବ। ୨୨ ତାରିଖରେ ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗ, ୨୩ରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା, ୨୪ରେ ନିର୍ମାଣ ଏବଂ ଗ୍ରାମ୍ୟ ଉନ୍ନୟନ, ୨୫ରେ ସ୍ବାସ୍ଥ୍ୟ, ୨୬ରେ ଗୃହ ନିର୍ମାଣ, ୨୭ରେ ଖାଦ୍ୟ ଯୋଗାଣ, ୨୯ ତାରିଖରେ ଗୃହ ଏବଂ ସାଧାରଣ ପ୍ରଶାସନ ଏବଂ ୩୦ ତାରିଖରେ ଶକ୍ତି ବିଭାଗର ଅନୁଦାନ ଦାବି ଉପରେ ଆଲୋଚନା କରାଯିବ। ୩୧ ତାରିଖରେ ବଜେଟ ଅନୁଦାନ ଦାବି ଉପରେ ବ୍ୟୟମଞ୍ଜୁରୀ ବିଧେୟକ ଆସି ପାରିତ ହେବ।
ସୂଚନା ଅନୁସାରେ, ଯେ ଗତ ୨୮ ତାରିଖ ଦିନ ବିଧାନସଭାରେ ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ଲକ୍ଷ ୩୯ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗ ପାଇଁ ବଜେଟରେ ହୋଇଥିବା ଅନୁଦାନ ଦାବିର ଯାଞ୍ଚ କରି ୧୦ଟି ବିଭାଗୟୀୟ ସ୍ଥାୟୀ କମିଟି ସେମାନଙ୍କ ରିପୋର୍ଟ ଦାଖଲ କରି ସାରିଛନ୍ତି। ଏଥିରେ କମିଟି ଗୁଡ଼ିକ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସୁପାରିସ କରିଛନ୍ତି।

Comments are closed.