Odisha Link
Bridging the Missing Links in Odisha

ପାଟକୁରା ନିର୍ବାଚନ: ଜମୁଛି ପ୍ରଚାର, ଜନତା ଅସମ୍ଭାଳ

ଭୁବନେଶ୍ବର: ଆସନ୍ତା ୨୦ରେ ପାଟକୁରା ବିଧାନସଭା ନିର୍ବାଚନ। ଆଉ ୩ ଦିନ ପରେ ସରିବ ନିର୍ବାଚନ ପ୍ରଚାର। ଏସବୁ ଦୃଷ୍ଟିରେ ରଖି ପ୍ରଚାର ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ଏବେ ପ୍ରଚାର ମଇଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ୪୦ ଜଣ ଲେଖାଏଁ ଷ୍ଟାର ପ୍ରଚାରକ। କାହା ପକେଟରେ ରହିବ ପାଟକୁରା ସେ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା। ନିର୍ବାଚନକୁ ନେଇ ଉଭୟ ନେତା ମନ୍ତ୍ରୀ ଜାଗ୍ରତ ହେବା ସହିତ ଲୋକଙ୍କ ମନ ଜିଣିବା ପାଇଁ ପ୍ରୟାସରେ ଲାଗି ପଡିଛନ୍ତି ବିଭି୍ନ୍ନ ଦଳ। ପାଟକୁରା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ନିର୍ବାଚନୀ ଋତୁର ଉଷ୍ମତା ବଢିବାରେ ଲାଗୁଛି। ନେତାଠୁ ଆରମ୍ଭ କରି କର୍ମୀ ସମସ୍ତେ ଘରଘର ବୁଲି ନିଜନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ଗାଁ ଗାଁରେ ସଭା ସମିତି ଓ ନେତା-କର୍ମୀଙ୍କ ମେଳି ଜମିବାର ଦେଖିବାକୁ ମିଳୁଛି।


ଷ୍ଟାର ପ୍ରଚାରକ ବନାମ ଜନତା:
ପାଟକୁରା ନିର୍ବାଚନରେ ବିଜୟୀ ହେବାପାଇଁ ରାଜ୍ୟର ତିନି ପ୍ରମୁଖଦଳର ୪୦ ଜଣ ଷ୍ଟାର ପ୍ରଚାରକ ପାଟକୁରାରେ ଡେରା ପାକାଇଛନ୍ତି। ଏଥି ସହିତ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ମାନେ ପ୍ରଚାର କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଆଉ ମାତ୍ର ୩ଦିନ ପରେ ସରିବ ପ୍ରଚାର କାର୍ଯ୍ୟକ୍ରମ। ତାକୁ ନେଇ ନିର୍ବାଚନ ପ୍ରଚାରରେ ଜୋରଶୋର ଲାଗି ପଡିଛନ୍ତି। ତେବେ ଏଥିରୁ କିଛି କଥା ସ୍ପଷ୍ଟ ଜଣା ପଡୁଛି ଯେ, ନେତା ଯେତିକି ଉତ୍ସାହ ଦେଖାଉଛନ୍ତି ସେତିକି ଉତ୍ସାହ ପାଟକୁରା ଭୋଟରଙ୍କ ନିକଟରେ ଦେଖିବାକୁ ମିଳୁନାହିଁ। କହିବାକୁ ଗଲେ ପାଟକୁରା ଭୋଟରଙ୍କ ମନରେ ସେତେଟା ଆଗ୍ରହ ଓ ଉଦ୍ଦୀପନା ନାହିଁ। ତେବେ ଏଠାରେ ଷ୍ଟାର ପ୍ରଚାରକ ପାଟକୁରା ବାସୀଙ୍କ ମନ ଜିଣୁଛନ୍ତି ନା ନାଇଁ ତାହା ଦେଖିବାକୁ ବାକି ରହିଲା।

ସ୍ବାଭିମାନ ବନାମ ସହାନଭୂତି:
ଏଥର ପାଟକୁରାରେ ବିଜୁ ଜନତା ଦଳ ଓ ଏକଦା ବିଜୁଙ୍କର ରାଜନୈତିକ ଦାୟାଦ ଭାବେ ଖ୍ୟାତ ବିଜୟ ମହାପାତ୍ରଙ୍କ ମଧ୍ୟରେ ଲଢେଇ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି। ଯେତେବେଳେ ବିଜୟ ମହାପାତ୍ରଙ୍କ କଥା ଉଠେ ସେତେବେଳେ ନିଶ୍ଚିତ ସ୍ବାଭିମାନର କଥା ଉଠେ। ବିଜୟ ମହାପାତ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ହେଲେ ହେଁ ଦଳ ଅପେକ୍ଷା ତାଙ୍କ ବ୍ୟକ୍ତିତ୍ୱ ଏଥର ଅଧିକ ଉକୁଟି ଉଠୁଛି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ବିଜେଡିର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବ୍ୟକ୍ତିତ୍ୱ ଅପେକ୍ଷା ଦଳର ଦବଦବା ଅଧିକ ରହିଛି। ଏଥି ସହିତ ପତି ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟର ସହାନଭୂତିର ଫାଇଦା ନେବା ପାଇଁ ବିଜେଡି ଦଳ ନିଶ୍ଚିତ ଚାହିଁବ। ତେବେ ଜୁଲାଇ ୨୪ରେ ପାଟକୁରାରେ ସ୍ବାଭିମାନର ବିଜୟ ହେବା ନା ସହାନୁଭୂତିର ବିଜୟ ହେବ ତାହା ଦେଖଇବାକୁ ବାକି ରହିଲା।
ବିଜେଡି ପାଟକୁରା ନିର୍ବାଚନ ଜିତିବାକୁ ନିଜ ସମ୍ମାନର ପ୍ରଶ୍ନ ବୋଲି ବିବେଚନା କରି କଳ-ବଳ-କୌଶଳ ଲଗାଇଥିବା ବେଳେ ବିଜେପି ଏଠାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଅଭିଜ୍ଞତା ଓ ସ୍ୱାଭିମାନକୁ ମୁଖ୍ୟ ଅସ୍ତ୍ର କରି ନିର୍ବାଚନୀ ବୈତରଣୀପାର ହେବାକୁ ଲକ୍ଷ୍ୟ ରଖିଛି। ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ସହାନୁଭୂତି ଭୋଟ୍ ହାତେଇବାକୁ ଚେଷ୍ଠା କରୁଛି। ହେଲେ ଏଥର ସହାନୁଭୂତି ଅପେକ୍ଷା ସ୍ୱାଭିମାନ, ପ୍ରଚାର ଶୈଳୀ ଓ ଅର୍ଥ ବଳ ଅଧିକ ବଳ ଦେଖାଇବା ଭଳି ମନେ ହେଉଛି। ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଭାବମୂର୍ତ୍ତି ମୁଖ୍ୟ ସମ୍ବଳ ହୋଇଛି। ସେହିପରି କଂଗ୍ରେସର ଜୟନ୍ତ ମହାନ୍ତି ନିଜସ୍ୱ ସଂଗଠନ ଓ ଲୋକ ସମ୍ପର୍କକୁ ଆଧାର କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି।

Comments are closed.