Odisha Link
Bridging the Missing Links in Odisha

ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗୱତଙ୍କୁ ସାକ୍ଷାତ କଲେ ଜର୍ମାନୀ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ଜର୍ମାନୀର ରାଷ୍ଟ୍ରଦୂତ ୱାଲଟର ଲିଣ୍ଡନେର୍ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ଏକ ଜନ ଆନ୍ଦୋଳନ ରୂପେ ଅଭିହିତ କରିଛନ୍ତି। ସେ କହିଛନ୍ତି ନାଗପୁରସ୍ଥିତ ଆରଏସ୍‌ଏସ୍‌ ମୁଖ୍ୟାଳୟକୁ ଗସ୍ତ କରି ସେ ‘ଭାରତୀୟ ସମାଜରେ ବିଭିନ୍ନତା’କୁ ବୁଝିବା ପାଇଁ ଚେଷ୍ଟା କରିଛନ୍ତି।

ଆରଏସ୍‌ଏସ୍‌ ମୁଖ୍ୟାଳୟକୁ ତାଙ୍କର ଏହି ଗସ୍ତ ପରେ ଆରମ୍ଭ ହୋଇଥିବା ବିବାଦ, ଇସ୍ତଫା ଦେଇ ନିଜ ଦେଶକୁ ଫେରିଯିବା ପାଇଁ ହେଉଥିବା ଦାବି ସମ୍ପର୍କରେ ସେ କହିଛନ୍ତି, ନାଗପୁରରେ ଜର୍ମାନୀର ଆର୍ଥିକ ସହାୟତାରେ ହେଉଥିବା ଏକ ପ୍ରକଳ୍ପର ଅଗ୍ରଗତି ଦେଖିବାକୁ ସେ ନାଗପୁର ଯାଇଥିଲେ। ଏହି ଅବସରରେ ସେ ଆରଏସ୍‌ଏସ୍‌ ସରସଂଘଚାଳକ (ମୁଖ୍ୟ) ମୋହନ ଭଗୱତଙ୍କୁ ଭେଟିବାକୁ ଚାହିଁଥିଲେ। ରାଷ୍ଟ୍ରଦୂତ ଶ୍ରୀ ଲିଣ୍ଡନେର୍ କହିଛନ୍ତି, “ମୁଁ ଏହି (ଆର୍‌ଏସ୍‌ଏସ୍‌) ସଂଗଠନ ବାବଦରେ ଅଧିକ ଜାଣିବାକୁ ଚାହିଁଥିଲି। ମୁଁ ଏହି ସଂଗଠନ ବିଷୟରେ କିଛି ନକାରାତ୍ମକ ଏବଂ ସକାରାତ୍ମକ ଲେଖା ପଢ଼ିସାରିଛି। ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିବାଠାରୁ ଆରମ୍ଭ କରି ଫାଶୀବାଦର ଅଭିଯୋଗ ଇତ୍ୟାଦି ସମ୍ପର୍କରେ ପଢ଼ିବା ପରେ ମୁଁ ଭାବିଲି ମୁଁ ନିଜେ ଏ ବିଷୟରେ ଭଲ ଭାବରେ ଜାଣିବା ଦରକାର। ତେଣୁ ମୋହନ ଭଗୱତ୍‌ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲି।”

ଯଦିଓ ଗତ କିଛି ବର୍ଷ ତଳେ କେତେଜଣ ବିଦେଶୀ କୂଟନୀତିଜ୍ଞ ମୋହନ ଭଗୱତଙ୍କୁ ଭେଟିଥିଲେ, ତଥାପି ଏଥର ଜର୍ମାନୀ ରାଷ୍ଟ୍ରଦୂତ ନିଜେ ନାଗପୁର ଯାଇ ଭଗୱତଙ୍କୁ ଭେଟିବା ଚର୍ଚ୍ଚାରେ ରହିଛି। ତାଙ୍କର ଏହି ଗସ୍ତକୁ ବିରୋଧ କରୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ଶ୍ରୀ ଲିଣ୍ଡନେର୍ କହିଛନ୍ତି, “ମୁଁ ଚରମପନ୍ଥୀଙ୍କ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରିଥିଲି। ଆରଏସ୍‌ଏସ୍‌ ଭାରତରେ ରହିଥିବା ବିଭିନ୍ନତା ମଧ୍ୟରୁ ଗୋଟିଏ। ଆରଏସ୍‌ଏସ୍‌ ଯେ ଏକ ଜନ ଆନ୍ଦୋଳନ, ତାହା ଆପଣ ଅସ୍ଵୀକାର କରିପାରିବେନି ଏବଂ ଆପଣଙ୍କୁ ଏହି ସଂଗଠନ ପସନ୍ଦ ଥାଉ କି ନଥାଉ, ଆପଣ ଏହାକୁ ଏଡ଼ାଇଦେଇ ପାରିବେନି।”

Comments are closed.