ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାରର ପ୍ରମାଣ ମିଳିନାହିଁ

କଟକ : ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଜି ପର୍ଯ୍ୟନ୍ତ ପ୍ରମାଣିତ ହୋଇ ପାରିନାହିଁ । ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି ।
ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଏହି ମାମଲାରେ ମୋଟ୍ ୬ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଏଥିସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି। ଏଥିରୁ ଅଭିଯୋଗକାରିଣୀଙ୍କ ସହ ଅନୁଭବ ଓ ଅନୁପ୍ରାସଙ୍କର କେବଳ ପାଟିତୁଣ୍ଡ ହୋଇଥିଲା ଏବଂ ଉଭୟେ ପରସ୍ପରକୁ ଗାଳିଗୁଲଜ କରିଥିଲେ । ତେବେ ଅନୁପ୍ରାସ ତାଙ୍କୁ କମେଣ୍ଟ ମାରିଥିବା ଏବଂ ଅନୁଭବ ଦୁର୍ବ୍ୟବହାର କରିଥିବା ନେଇ ଏଯାଏଁ କୌଣସି ପ୍ରମାଣ ମିଳିନାହିଁ । ଘଟଣାର ତଦନ୍ତ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ତଦନ୍ତ ସାରିବାକୁ ତଦନ୍ତକାରୀ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି କହିଛନ୍ତି ।
ସୂଚନା ଅନୁସାରେ, ଅନୁପ୍ରାସ ତାଙ୍କୁ କମେଣ୍ଟ ମାରୁଥିବା ନେଇ ମହିଳା ସାମ୍ବାଦିକ ଗତ ଜୁନ ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଯାଇଥିଲେ। ଏତିକି ବେଳେ ଅନୁଭବ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସେ ଅଭିଯୋଗ କରିଥିଲେ। ଏନେଇ ମହିଳା ସାମ୍ବାଦିକ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ।