Odisha Link
Bridging the Missing Links in Odisha

ଓଡ଼ିଶାରେ ବୃଦ୍ଧି ପାଉନି ବାଘ ସଂଖ୍ୟା

ଭୁବନେଶ୍ୱର : ସାରା ଦେଶରେ ଗତ ୪ ବର୍ଷରେ ବାଘ ସଂଖ୍ୟା ୭୪୧ ବୃଦ୍ଧି ପାଇଥିବା ସତ୍ତ୍ୱେ ଓଡ଼ିଶାରେ ଏହା ସ୍ଥିର ରହିଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ୪ ବର୍ଷରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଆଦୌ ବୃଦ୍ଧି ପାଇ ନାହିଁ। ୨୦୧୪ରେ ରାଜ୍ୟରେ ବାଘଙ୍କ ସଂଖ୍ୟା ୨୮ ଥିବା ବେଳେ ୪ ବର୍ଷ ପରେ ୨୦୧୮ ରେ ମଧ୍ୟ ସେତିକି ରହିଛି।
ଛତିଶଗଡ଼ରେ ବାଘଙ୍କ ସଂଖ୍ୟା ୪୬ରୁ ୧୯କୁ ଖସି ଆସି ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଘ୍ର ଗଣନା ରିପୋର୍ଟ ୨୦୧୮ ଉନ୍ମୋଚନ କରିଥିଲେ। ୨୦୧୪ ରିପୋର୍ଟ ଅନୁସାରେ ଦେଶରେ ବାଘ ସଂଖ୍ୟା ୨୨୨୬ ଥିବା ବେଳେ ୨୦୧୮ ରିପୋର୍ଟ ଅନୁସାରେ ଦେଶରେ ବାଘ ସଂଖ୍ୟା ୨୯୬୭ ରେ ପହଞ୍ଚିଛି। ଭାରତ ବାଘର ସୁରକ୍ଷିତ ବାସସ୍ଥଳୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୦୬ରେ ପ୍ରୋଜେକ୍ଟ ଟାଇଗର୍‌ର ପୁନର୍ଗଠନ ପରେ ଏହା ହେଉଛି ଚତୁର୍ଥ ରିପୋର୍ଟ।
ପ୍ରତି ୪ ବର୍ଷରେ ଥରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଳୟ ତରଫରୁ ବ୍ୟାଘ୍ର ଗଣନା ହୋଇ ଆସୁଛି। ଦେଶର ୧୮ଟି ରାଜ୍ୟରେ ବାଘ ଅଛନ୍ତି। ଚଳିତ ଥର ପ୍ରଥମ ଥର ପାଇଁ ଉତ୍ତର-ପୂର୍ବାଞ୍ଚଳରେ ବାଘ ଗଣନା କରାଯାଇଛି। ବିଶ୍ୱର ୭୦ ପ୍ରତିଶତ ବାଘ ଭାରତରେ ଅଛନ୍ତି।

Comments are closed.