Odisha Link
Bridging the Missing Links in Odisha

କଟକରେ ସିରିଏଲ କିଲିଂ କରୁଥିଲା ନୟାଗଡ଼ର ନାରଣ

ଭୁବନେଶ୍ବର: କଟକ ସହରରେ ତିନି ତିନି ଜଣଙ୍କୁ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରିଥିବା ସିରିଏଲ କିଲର୍‌କୁ ଗିରଫ କରିଛି କମିଶନରେଟ ପୁଲିସ୍। କଟକ ସହରରେ ବେଶ୍‌ କିଛିଦିନ ହେବ ଭୟର ବାତାବରଣ ସୃଷ୍ଟି କରିଥିବା ସିରିଏଲ୍‌ କିଲର ରହିଛି ନୟାଗଡ଼ ଲିଙ୍କ୍। କଟକ ସିରିଆଲ ମର୍ଡ଼ର ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ସୁନାମୁହିଁ ଗାଁର ବୋଲି ଜଣାପଡ଼ିଛି। ଗିରଫ ହେଲା ପରେ ସୋଶିଆଲ ମିଡ଼ିଆରେ ଘୁରି ବୁଲୁଛି ସିରିଏଲ୍‌ କିଲର ନାରାୟଣର ଫଟୋ। ନାରାୟଣ ସାହୁ ଜଣେ ମାନସିକ ବିକାରଗସ୍ତ ବୋଲି ମଧ୍ୟ ସୂଚନା ମିଳିଛି। ସେ କିଛି ଦିନ ହେବ କଟକ SCBରେ ଚିକିତ୍ସା ହେଉଥିଲା। ନାରାୟଣଙ୍କ ନିଜ ପତ୍ନୀ ଓ ୩ ଟି ସନ୍ତାନ ଘର ଛାଡ଼ି ମହିପୁରରେ ରହୁଥିବା ଜଣାପଡିଛି। ଗତକାଲି ତାକୁ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳରୁ ପୁଲିସ୍ ଗିରଫ କରିଥିଲା।

ନାରାୟଣକୁ ଗିରଫ କରିବା ପରେ କଣ କହିଲା ପୁଲିସ୍:
୫ ଦିନର ଅନୁସନ୍ଧାନ ଓ ଚଢ଼ଉ ପରେ ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନାମୁହିଁ ଅଞ୍ଚଳରୁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ନାରାୟଣ ସାହୁ(୩୫)କୁ ଗିରଫ କରିଥିଲା। ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ତାକୁ ଧରା ଯାଇଥିବା ସୂଚନା ରହିଛି। ନାରାୟଣକୁ କମିସନର ସତ୍ୟଜିତ ମହାନ୍ତି, କଟକ ଡିସିପି ଅଖିଳେଶ୍ବର ସି˚ହ, କ୍ରାଇମ୍‌ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ମଧ୍ୟ ତାକୁ ଦୀର୍ଘ ସମୟ ଧରି ଜେରା କରିଛନ୍ତି। ଜେରା ସମୟରେ ସେ ବେଳେବେଳେ ସାଧାରଣ ଲୋକଙ୍କ ଭଳି କଥାବାର୍ତ୍ତା କରୁଥିବା ବେଳେ ହଠାତ୍‌ ରାଗିଯାଉଛି। ପୁଣି କେତେବେଳେ ହସୁଛି। ତା’ର ଏଭଳି ଅସ୍ବାଭାବିକ ଆଚରଣ ପୁଲିସକୁ ଅଡ଼ୁଆରେ ପକାଇଛି। ପୁଲିସ କହିବା ଅନୁଯାୟୀ ନାରାୟଣ ଜଣେ ମାନସିକ ରୋଗୀ। ସେ କଟକ ବଡ଼ମେଡିକାଲ ମାନସିକ ରୋଗ ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିଲା ଏବଂ ‘ଫନି’ ପରେ ସେଠାରୁ ଖସି ପଳାଇଥିଲା। ସେଠାରୁ ଆସି ମାଲଗୋଦାମ ଓଭରବ୍ରିଜ ତଳେ ରହୁଥିଲା। ବିନା କାରଣରେ ହଠାତ୍‌ ଉତ୍ତ୍ୟକ୍ତ ହୋଇ ପଡୁଥିବା ନାରାୟଣ କିଛି ଦିନ ହେଲା କଟକରେ ଏଭଳି ହତ୍ୟାକାଣ୍ଡ ଘଟାଉଥିଲା। ତେବେ କେଉଁ କାରଣରୁ ସେ ଏଭଳି ରାସ୍ତାକଡ଼ର ନିରୀହ ଲୋକଙ୍କୁ ହତ୍ୟା କରୁଥିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଆସନ୍ତାକାଲି ମାନସିକ ରୋଗ ବିଶେଷଜ୍ଞଙ୍କ ସହାୟତାରେ ତାକୁ ଜେରା କରାଯାଇ ତଥ୍ୟ ଆଦାୟ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି। କଟକ ସୁଇଟ୍ସ ଷ୍ଟଲ୍‌ ପାଖ ସିସି କ୍ୟାମେରା ଫୁଟେଜ, ଓଏମ୍‌ପି ଛକର ଜଣେ ବ୍ୟବସାୟୀଙ୍କ ବୟାନ ଓ ସିସି କ୍ୟାମେରା ରେକର୍ଡିଂ ଆଧାରରେ ନାରାୟଣକୁ ଧରାଯାଇଥିବା ପୁଲିସ କହୁଛି।

କଟକ ରୁ ନୟାଗଡ଼:
ନାରାୟଣକୁ ଧରିବା ପାଇଁ ପୁଲିସର ୫ଟି ଟିମ୍‌ ଦିନରାତି ଲାଗି ପଡ଼ିଥିଲେ। କଟକ ତଥା ଜିଲ୍ଲା ବାହାରର ବିଭିନ୍ନ ଚଢ଼ଉ କରିଥିଲେ ବି ତା‌’ର ପତ୍ତା ମିଳି ନଥିଲା। ତେବେ ତଦନ୍ତରୁ ଜଣାପଡ଼ିଥିଲା ଯେ ୨୪ ତାରିଖ ଭୋରୁ ଓଏମ୍‌ପିରେ ଦୁଇଟି ହତ୍ୟାକାଣ୍ତ ଘଟାଇବା ପରେ ଦିନରେ ସେ ବିଭିନ୍ନ ଅଞ୍ଚଳ ବୁଲିଥିଲା। ସେଦିନ ସନ୍ଧ୍ୟାରେ ଜଣେ ବାଇକ ଚାଳକଙ୍କୁ ଓଏମ୍‌ପିରୁ ଲିଫ୍ଟ ମାଗି ଲିଙ୍କରୋଡ ଯାଇଥିଲା। ସେଠାରୁ ବସ୍‌ରେ ଭୁବନେଶ୍ବର ଯାଇଥିଲା। ବସ୍‌ରୁ ଓହ୍ଲାଇ ବସ୍‌ କିମ୍ବା ଟ୍ରକ୍‌ରେ ନୟାଗଡ଼ ପଳାଇଥିଲା। ପୁଲିସ ହାତରେ ଏଭଳି ପ୍ରମାଣ ମିଳିବା ପରେ ଗତକାଲି ୫ଟି ଟିମ୍‌ ନୟାଗଡ଼, ଗଞ୍ଜାମ, ପୁରୀ ସମେତ ଅନ୍ୟ ଜିଲ୍ଲାକୁ ଯାଇଥିଲେ। ତେବେ କଟକରୁ ଖସିଯିବା ପରେ ସେ ନିଜ ଭାଇ ଓ ଦାଦାଙ୍କ ଘରେ ରହିଥିବା ଖବର ପାଇ ପୁଲିସ ଗଞ୍ଜାମର ବେଲଗୁଣ୍ଠା ଏବ˚ ନୟାଗଡ଼ ସୁନାମୁହିଁରେ ଚଢ଼ଉ କରିଥିଲା। ଆଉ ଶେଷରେ ସୁନାମୁହିଁରେ ହିଁ ସ୍ଥାନୀୟ ସରପଞ୍ଚଙ୍କ ସାହାଯ୍ୟ ନେଇ ନାରାୟଣ ଘରେ ଚଢ଼ଉ କରି ତାକୁ କାବୁ କରିଥିଲା।

Comments are closed.