Odisha Link
Bridging the Missing Links in Odisha

ଅଯୋଧ୍ୟା ଜମି ବିବାଦ ମାମଲା: ୬ରୁ ସୁପ୍ରିମକୋର୍ଟରେ ଦୈନିକ ଶୁଣାଣି

ନୂଆଦିଲ୍ଲୀ: ଅଗଷ୍ଟ ୬ରୁ ଅଯୋଧ୍ୟା ଜମି ବିବାଦ ମାମଲାର ଦୈନିକ ଶୁଣାଣି ଆରମ୍ଭ କରିବେ ସୁପ୍ରିମକୋର୍ଟ। ଏନେଇ ଆଜି ଶୁଣାଶି କରିଛନ୍ତି ସୁପ୍ରିମକୋର୍ଟ। ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ମଧ୍ୟସ୍ଥି ପ୍ୟାନେଲ ନିର୍ଯାସ ବାହାର କରିବାରେ ବିଫଳ ହୋଇଛନ୍ତି। ଗତକାଲି ମଧ୍ୟସ୍ଥତା କରିଥିବା ପ୍ୟାନେଲ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ଦେଇ ଏଥିରେ ବିବାଦର ସମାଧାନ ହୋଇ ପାରି ନଥିବା ଉଲ୍ଲେଖ କରିଛନ୍ତି। ଫଳରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଲହି ମାମଲାର ଶୁଣାଣି କରିବେ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ମାତ୍ର ୬ ମିନିଟ୍‌ ପାଇଁ ଶୁଣାଣି କରିଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଏସ୍‌ ବୋବଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିର ସଦସ୍ୟ ରହିଛନ୍ତି। ଆଜି ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ, “ମଧ୍ୟସ୍ଥତାରୁ କୌଣସି ସୁଫଳ ମିଳିପାରି ନାହିଁ। ମଧ୍ୟସ୍ଥତା ପ୍ୟାନେଲ ସବୁ ପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ଫଳାଫଳ ମିଳିପାରି ନାହିଁ। ତେଣୁ ଏହି ମାମଲାର ଶୁଣାଣି ଖଣ୍ଡପୀଠ ଅଗଷ୍ଟ ୬ରୁ ଦୈନିକ ଶୁଣାଣି କରିବେ। ସାମ୍ବିଧାନିକ ଖଣ୍ଡପୀଠ କେବଳ ଜମି ବିବାଦର ହିଁ ଶୁଣାଣି କରିବେ।”