Odisha Link
Bridging the Missing Links in Odisha

ସୁଷମାଙ୍କ ବିଷୟରେ କଣ କହିଲେ ଲାଲକୃଷ୍ଣ ଆଡ଼ଭାନୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନି ସୁଷମାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଅପୂରଣୀୟ କ୍ଷତି ଘଟିଲା ଏବଂ ସୁଷମାଙ୍କ ଅନୁପସ୍ଥିତି ତାଙ୍କର ଖୁବ୍‌ ମନେପଡ଼ିବ। ସୁଷମା ତାଙ୍କର ଅନ୍ୟତମ ଅନ୍ତଃରଙ୍ଗ ସହଯୋଗୀ ଥିଲେ ବୋଲି ଶୋକବାର୍ତ୍ତାରେ ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିଜେପିରେ ତାଙ୍କର ଇନିଙ୍ଗ୍‌ସ୍‌ ଆରମ୍ଭ ହେବା ସମୟରୁ ମୁଁ ତାଙ୍କୁ ଜାଣେ ଏବଂ ତାଙ୍କ ସହ କାମ କରି ଆସିଛି। ୮୦ ଦଶକରେ ମୁଁ ବିଜେପିର ଅଧ୍ୟକ୍ଷ ଥିବା ବେଳେ ସେ ଜଣେ ପ୍ରତିଶ୍ରୁତି ସମ୍ପନ୍ନ ଯୁବକର୍ମୀ ଥିଲେ ଯାହାଙ୍କୁ ମୁଁ ମୋ ଟିମ୍‌ରେ ସାମିଲ କରିଥିଲି। ସମୟକ୍ରମେ ସେ ଆମ ଦଳର ଅନ୍ୟତମ ଜନପ୍ରିୟ ଓ ପ୍ରମୁଖ ନେତ୍ରୀ ପାଲଟିଗଲେ। ପ୍ରକୃତରେ କହିବାକୁ ଗଲେ ମହିଳାନେତ୍ରୀଙ୍କର ଆଦର୍ଶ ହୋଇଥିଲେ ସୁଷମା।

ଏଥିସହିତ ସେ ଆହୁରି କହିଛନ୍ତି ଯେ ସୁଷମା ଜି ଥିଲେ ଜଣେ ଉତ୍ତମ ମାନବୀ। ଉଚ୍ଚା ସମ୍ବେଦନାଭରା ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରୁଥିଲେ। ଏମିତି କୌଣସି ଜନ୍ମଦିନ ନାହିଁ ଯେଉଁ ବର୍ଷ ସେ ମୋ ପାଇଁ ମୋ ପସନ୍ଦର ଚକ୍‌ଲିଟ୍‌ କେକ୍‌ ନ ଆଣିଛନ୍ତି। ଆଜି ସକାଳେ ଲାଲକୃଷ୍ଣ ଆଡ଼ଓ୍ଵାଣୀ ସୁଷମା ସ୍ୱରାଜଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସୁଷମାଙ୍କ କନ୍ୟା ବାଂଶୁରୀଙ୍କୁ ଭେଟିବାକ୍ଷଣି ଆଡ଼ଭାନୀଙ୍କ ଝିଅ ପ୍ରତିଭା କାନ୍ଦି ପକାଇଥିଲେ।

Comments are closed.