ବର୍ଷା କମୁଛି, ସ୍ଥିତି ସୁଧୁରୁଛି
ମାଲକାନଗିରି : ମାଲକାନଗିରିରେ ଆଜି ସୁଧୁରୁଛି ବନ୍ୟା ସ୍ଥିତି। ପୋଟେରୁ ଓ ପାଙ୍ଗାମା ପୋଲ ଉପରେ ଏବେ ବି ୨ ଫୁଟରେ ପାଣି ଚାଲୁଛି। ଏହାର ପ୍ରଭାବରେ ମାଲକାନଗିରି ଓ ଜୟପୁର ମଧ୍ୟରେ ଯାତାୟତ ଠପ୍ ହୋଇଛି। ସେହିପରି ଝାପରା ପୋଲ ଉପରେ ଚାଲୁଛି ୩ ଫୁଟରେ ପାଣି । ଫଳରେ ମାଲକାନଗିରି – ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ବନ୍ୟାକୁ ନେଇ ମାଲକାନଗିରିରେ ଆଜି ଶିକ୍ଷାନୁଷ୍ଠାନ ସବୁ ବନ୍ଦ ଘୋଷଣା କରିଛି ପ୍ରଶାସନ। ବର୍ଷାକୁ ନେଇ ପାଣିପାଗ ବିଭାଗର ରେଡ ୱାର୍ଣ୍ଣି ପରେ ଆଉ ଦିନକ ପାଇଁ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି।
ଜିଲ୍ଲାର ପ୍ରବେଶ ପଥ କୁହାଯାଉଥିବା ୩୨୬ ରାଞ୍ଚି-ବିଜୟଵାଡା ଜାତୀୟ ରାଜପଥ ମଧ୍ୟ ବନ୍ୟା ଜଳରେ ସଂପୂର୍ଣ୍ଣ ବୁଡ଼ି ଯାଇଛି । ମାଲକାନଗିରି-ଜୟପୁର, ମାଲକାନଗିରି-କାଲିମେଳା, ମାଲାକନଗିରି-ବାଲିମେଳା, କାଲିମେଳା-ମୋଟୁ, କାଲିମେଳା-ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉପରୋକ୍ତ ପୋଲର ଦୁଇ ପଟେ ଶହ ଶହ ଗାଡ଼ି ଅଟକି ରହିଛି। ଯାହାଫଳରେ ଆବଶ୍ୟକ ସାମଗ୍ରୀ ଏବଂ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ପାରୁନି। ଅନେକ ଚାଷ ଜମିରେ ପାଣି ମାଡ଼ିଯିବା ସହ ବାଲି ଚରି ଯାଇଛି । ମାଲକାନଗିରି, ଖଇତିପୁଟ, ମାଥିଲି, କୋରୁକୋଣ୍ଡା, କାଲିମେଳା ଓ ପୋଦିଆର ୨୧୭୨ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୨୪ଟି ସ୍ଥାନରେ ରଖାଯାଇଛି।
Comments are closed.