Odisha Link
Bridging the Missing Links in Odisha

ଗାନ୍ଧୀ ହିଁ ପ୍ରେରଣାଦାୟୀ

ଭୁବନେଶ୍ବର : ପ୍ରକୃତି ଆମକୁ ଯାହା ଦେଉଛି, ପ୍ରକୃତିକୁ ଆମେ ତାହା ଫେରାଇବାକୁ ପଡିବ ବୋଲି ମହତ୍ମା ଗାନ୍ଧୀ କହିଥିଲେ। ଗାନ୍ଧିଜୀଙ୍କ ଏହି କଥା ପଦକ ପରିବେଶ ରକ୍ଷା କ୍ଷେତ୍ରରେ ବିଶ୍ବବ୍ୟାପୀ ପ୍ରେରଣାଦାୟୀ ହୋଇଥିଲା। ଗାନ୍ଧୀଙ୍କ ଅର୍ଥନୀତିକୁ ମଧ୍ୟ ବହୁ ଅର୍ଥଶାସ୍ତ୍ରବିତ୍‌ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି। ଗାନ୍ଧୀ କହୁଥିଲେ ସମ୍ବଳର ସମବଣ୍ଟନ ହେବା ଦରକାର। କାରଣ ସମ୍ବଳକୁ ମହଜୁଦ୍‌ କରିରଖିଲେ ତାହାର ସଦୁପଯୋଗ ହୋଇପାରିବ ନାହିଁ। ସମ୍ପ୍ରତି ବିଶ୍ବ ପରିବର୍ତ୍ତନ ଧାରାରେ ବହୁଥିବାବେଳେ ସୃଷ୍ଟି ହେଉଥିବା ସମସ୍ୟା ଗୁଡିକର ସମାଧାନ ଯଦି ଖୋଜାଯାଏ, ତେବେ ତାହା ହେଉଛି କେବଳ ଗାନ୍ଧୀ। ଗାନ୍ଧୀ ହିଁ ସବୁ ପ୍ରଶ୍ନର ଉତ୍ତର। ବିଶ୍ବର ବହୁ ଚିନ୍ତାଶୀଳ ବ୍ୟକ୍ତି ଏଭଳି ମନେକରୁଛନ୍ତି। ସୂଚନାଭବନରେ ଶୁକ୍ରବାର ଆରମ୍ଭ ହୋଇଥିବା ୩ ଦିନିଆ ଗାନ୍ଧୀ କଥା କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧୀବାଦୀ ବକ୍ତା ତଥା ସ୍ତମ୍ଭକାର ଓ ରାଷ୍ଟ୍ରୟ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଏଭଳି କରିଛନ୍ତି। ଗାନ୍ଧୀ ଓ ବର୍ତ୍ତମାନ ବିଷୟ ଉପରେ ପ୍ରଶାନ୍ତ କହିଥିଲେ ଯେ, ଗାନ୍ଧୀ ଏକ ବିକଳ୍ପର ନାମ ବୋଲି ସେ କହୁନାହାନ୍ତି। କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ଷ୍ଟିଫେନ ହକିଂ ଏହା ବହୁ ପୂର୍ବରୁ କହିସାରିଛନ୍ତି। ସେହିପରି ଗାନ୍ଧୀଙ୍କ ସମ୍ପର୍କରେ ପୂର୍ବରୁ କେବେ କିଛି ମତ ଦେଇଥିବା ବହୁ ବୈଜ୍ଞାନିକ, ଅର୍ଥଶାସ୍ତ୍ରବିତ୍‌ ଗାନ୍ଧୀବାଦ ହିଁ ଏକମାତ୍ର ବିକଳ୍ପ ବୋଲି ଏବେ କହୁଛନ୍ତି।
କାଶ୍ମୀର ପ୍ରସଙ୍ଗରେ ପ୍ରଶାନ୍ତ କହିଥିଲେ ଯେ, ଭାରତ ସ୍ବାଧୀନ ହେବାବେଳେ ୬ଶହ ରାଜ୍ୟ ମିଶିଥିଲା। କାଶ୍ମୀରକୁ ଭାରତରେ ରଖିବାକୁ ସରାକର ଅନେକ ପଦକ୍ଷେପ ନେଇଥିଲେ। କୌଣସି ନିଷ୍ପତ୍ତି ନେଲାବେଳେ ସେତେବେଳର ପରିସ୍ଥିତିକୁ ଦେଖି ଭୁଲ ବା ଠିକ୍‌ ନିଷ୍ପତ୍ତି ନିଆଯାଇଥାଇପାରେ। କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ ପରିବର୍ତ୍ତନ କଲାବେଳେ ପୁରୁଣା ସ୍ଥିତିକୁ ନ ବୁଝି ନିଷ୍ପତ୍ତି ନେଇଥିବା ଲୋକଙ୍କୁ ଦୋଷୀ କରାଯିବା ଠିକ୍‌ ନୁହେଁ।
ଓଡ଼ିଶା ସରାକାରଙ୍କ ଗାନ୍ଧୀ ୧୫୦ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ପାନଳ କମିଟି ଓ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହି କୁମାର ପ୍ରଶାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ସବିବ ସଞ୍ଜୟ ସିଂ, ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରାଜ୍ୟ ଶାଖା ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ଓ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ରାଷ୍ଟ୍ରୀୟ ସୁବା ସଙ୍ଗଠନ ସଂଯୋଜକ ଡ. ବିଶ୍ବଜିତ ରାୟ, ସଦସ୍ୟ ମିହିର ପ୍ରତାପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଶୁକ୍ରବାର ପୂର୍ବାହ୍ନରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ଏକ ସଭାରେ କୁମାର ପ୍ରଶାନ୍ତ ଯୋଗଦେଇ ଗାନ୍ଧୀ ଓ ବର୍ତ୍ତମାନର ଯୁବପିଢ଼ିଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

Comments are closed.