Odisha Link
Bridging the Missing Links in Odisha

ଗଗନ ଧଳ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ, ସଞ୍ଜିବ ଚୋପ୍ରା ଗୃହ ସଚିବ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି। ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସଚିବ ଭାବେ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ସେହିପରି ୧୯୮୫ ବ୍ୟାଚ୍ ଆଇଏଏସ୍ ତଥା କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ନିଜର ସ୍ୱେଚ୍ଛାକୃତ ଅବସର ଆବେଦନକୁ ଫେରାଇ ନେବାପରେ ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ସଚିବ ସହ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଏବଂ ଓରସାକ୍ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସେହିପରି ୧୯୮୬ ବ୍ୟାଚ୍ ଆଇଏଏସ୍ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ଉନ୍ନୟନ କମିଶନର ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱରେ ରହିବେ।
୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକ ଜେନେରାଲ ସୁଦର୍ଶନ ପାଲ୍ ଠାକୁରଙ୍କୁ ପୁଣିଥରେ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି।
ସେହିପରି ୧୯୮୮ ବ୍ୟାଚ୍ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ମିଳିଛି। ସେ ଅତିରିକ୍ତ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ।
୧୯୮୯ ବ୍ୟାଚ୍ ଆଇଏଏସ୍ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ୧୯୯୦ ବ୍ୟାଚ୍ ଆଇଏଏସ୍ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଅତିରିକ୍ତ ଭାବେ ଗୃହ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ରହିବେ। ସେ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଆଇଆରଟିଏସ୍ ମନୋଜ କୁମାର ମିଶ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ସେହିପରି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ରୁଦ୍ର ନାରାୟଣ ପଲାଇଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ପୂର୍ତ୍ତ ସଚିବ ତଥା ୨୦୦୨ ବ୍ୟାଚ୍ ଆଇଏଏସ୍ ଡଃ କ୍ରିଷ୍ଣନ କୁମାର ଅତିରିକ୍ତ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଓ ପୁରୀ-କୋଣାର୍କ ଉନ୍ନୟନ ପ୍ରାଧିକରଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ସୂଚନା ଅନୁସାରେ, ଅଗଷ୍ଟ ୬ତାରିଖରେ ବରିଷ୍ଠ ଆଇଏଏସ୍ ଶ୍ରୀ ଧଳ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ମାତ୍ର ସେ ଆଜି ପୂର୍ବାହ୍ନରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟିବା ପରେ ନିଜର ମତ ପରିବର୍ତ୍ତନ କରି ଅବସର ପର୍ଯ୍ୟନ୍ତ ସରକାରୀ ଚାକିରିରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Comments are closed.