Odisha Link
Bridging the Missing Links in Odisha

ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଯୋଡ଼ି ଶଙ୍ଖ, ହିଞ୍ଜିଳି ଓ ଶେରଗଡ଼ରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆରମ୍ଭ କରିଛନ୍ତି ମାରାଥନ ପ୍ରଚାର। କୋରାପୁଟରେ ମୁଖ୍ୟମନ୍ତ୍ରୀ ନିଆରା ପ୍ରଚାର କରିଛନ୍ତି। କୋରାପୁଟ ସଭାରୁ ବିରୋଧୀଙ୍କ ଉପରେ ନବୀନ କରିଛନ୍ତି ଶାଣିତ ଆକ୍ରମଣ।
କୋରାପୁଟ ସଭାର ଭାଷଣ ଆରମ୍ଭରେ ସେ ଭୋଟରଙ୍କୁ ପଚାରିଥିଲେ ଯେ, ବିଏସକେୱାଇ ଭଲ କି ? ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ପିଲା ମାନଙ୍କୁ ଦିଆଯାଉଥିବା ବୃତ୍ତି ଭଲ ଯୋଜନା କି ? କାଳିଆ ସ୍କିମ୍ ଭଲ କି ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରିଥିଲେ । ସରକାରଙ୍କ ୭ ଫ୍ଲାଗସିପ୍ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କ ମତ ନେଇ ସେ ଦକ୍ଷୀଣ ଓଡ଼ିଶାରୁ ବିରୋଧୀ ଦଳଙ୍କ ବିରୋଧରେ ଜୋରଦାର ଆକ୍ରମଣ କରିଛନ୍ତି। ବିରୋଧୀ ନେତା କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହି ନବୀନ ଆଗକୁ ଲଢେଇ ଜୋରଦାର ହେବାର ସଂକେତ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମାନେ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି। ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଜିତାନ୍ତୁ । ଏଥିସହିତ ବିରୋଧୀଙ୍କ ଉପରେ ଆକ୍ରମଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିଜୁ ଜନତା ଦଳ ସରକାରର ଉପଲବ୍ଧି ସପକ୍ଷରେ କହିଥିଲେ। ସେ ସଭାରେ ଥିବା ଭୋଟରଙ୍କୁ ସରକାରୀ ଯୋଜନା ବାବଦରେ ପଚାରି ବୁଝିଥିଲେ ଯେ,ଯୋଜନା ଗୁଡିକ ଭଲ କି ନାହିଁ। ଠିକ୍ ଭାବରେ ଯୋଜନା ଦ୍ୱାରା ସେମାନେ ଉପକୃତ ହୋଇଛନ୍ତି କି ନାହିଁ ପ୍ରଶ୍ନ କରିଥିଲେ।
ସେହିପରି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଲୋକଙ୍କୁ ପଚାରିଥିଲେ କୋରାପୁଟ ମେଡିକାଲ କଲେଜ କିଏ କରିଛି । ଗୁପ୍ତେଶ୍ବର ମନ୍ଦିର ରୂପାନ୍ତର କିଏ କରିଛି। କୋରାପୁଟ ଜଗନ୍ନାଥ ମନ୍ଦିରର ରୂପାନ୍ତର କିଏ କରିଛି । କୋରାପୁଟରେ ଚର୍ଚ୍ଚର ରୂପାନ୍ତର କିଏ କରିଛି । ବଡ ବଡ ସେତୁ, ନୂଆ-ଓ ସ୍କଲାରସିପ, ମିଶନ ଶକ୍ତି, କାଳିଆ, ମମତା ଆଦି ଯୋଜନା କିଏ କରିଛି।  ସବୁର ଉତ୍ତର ଆସିଥିଲା ନବୀନ ପଟ୍ଟନାୟକ। ଏହାପରେ ଶ୍ରୀ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ଆପଣଙ୍କ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ।
Leave A Reply

Your email address will not be published.