Odisha Link
Bridging the Missing Links in Odisha

ପ୍ରମୋଦଙ୍କୁ ମିଳିବ ‘ଅର୍ଜୁନ’ ପୁରସ୍କାର

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଦେଶର ଅନ୍ୟ ୧୮ଜଣ କ୍ରୀଡ଼ାବିତ୍‌ଙ୍କ ସମେତ ପ୍ରମୋଦଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଶନିବାର ମନୋନୀତ କରାଯାଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସେ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ତରାକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରାଅଲିମ୍ପିକ୍ସ ରୌପ୍ୟପଦକ ବିଜୟିନୀ ଦୀପା ମଲିକଙ୍କ ନାମ ମନୋନୀତ କରାଯାଇଛି। କ୍ରିକେଟର ରବୀନ୍ଦ୍ର ଜାଡେଜା, ମହିଳା କ୍ରିକେଟର ପୁନମ ଯାଦବ, ଫୁଟବଲର ଗୁରପ୍ରୀତ ସିଂ ସାନ୍ଧୁ ଓ ଅନ୍ୟମାନେ ଏଥର ଅର୍ଜୁନ ପରୁସ୍କାର ପାଇବେ। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ରେଗୁଲରା କାଟାଗୋରୀ ପାଇଁ ୩ ଓ ଲାଇଫ୍‌ ଟାଇମ୍‌ ବର୍ଗ ପାଇଁ ୩ ଜଣଙ୍କ ନାମ ମନୋନୀତ କରାଯାଇଛି। ସେହିପରି ୫ଜଣ ପୂର୍ବତନ କ୍ରୀଡ଼ାବିତ ଧ୍ୟାନଚାନ୍ଦ ପୁରସ୍କାର ପାବେ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରାଯିବ।

ସୁନା ପୁଅ ପ୍ରମୋଦ:
ଜାକାର୍ତ୍ତା ପାରା ଏସିଆନ ଗେମ୍ସରେ ଭଗତ ଆଣିଥିଲେ ସ୍ୱର୍ଣ୍ଣ ପଦକ।ପାରା ବ୍ୟାଡମିଣ୍ଟନ ଚାମ୍ପିଆନସିପରେ ୩ଥର ବିଶ୍ୱ ଚମ୍ପିଆନ ହେବାର ରେକର୍ଡ ରହିଛି ଭଗତଙ୍କ ନାଁରେ।୧୯୮୮ ଜୁନ୍ ୪ରେ ବରଗଡ଼ ଜିଲ୍ଲା ଅତାବିରାରେ ଜନ୍ମ ନେଇଥିଲେ ପ୍ରମୋଦ ଭଗତ।୬ବର୍ଷର ହୋଇଥିବା ବେଳେ ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ।ହେଲେ ଜୀବନ ଯାତ୍ରାରେ କେବେ ହାରି ନାହାନ୍ତି ପ୍ରମୋଦ।ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ବାଧାବିଘ୍ନ ହାର ମାନିଲା।ଭିନ୍ନକ୍ଷମ ହୋଇ ମଧ୍ୟ ପ୍ରମୋଦ, ସଫଳ ଖେଳାଳି ଭାବେ ଅର୍ନ୍ତଜାତୀୟ ସ୍ତରରେ ସୃଷ୍ଟି କଲେ ସ୍ୱତନ୍ତ୍ର ପରିଚୟ।୨୦୧୮ ଇଣ୍ଡୋନେସିଆ ଏସିଆନ ପାରା ଗେମ୍ସରେ ଗୋଲ୍ଡ ମେଡାଲ ହାସଲ କଲେ।୨୦୦୬ରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ପ୍ରମୋଦ ଭାଗ ନେଇଥିଲେ। ତାପରେ ଆଉ ପଛକୁ ଫେରି ନାହାନ୍ତି ପ୍ରମୋଦ। ଅର୍ନ୍ତଜାତୀୟ ସ୍ତରରେ ଦେଶ ପାଇଁ ଆଣିଛନ୍ତି ବହୁ ଗୌରବ।

ସମ୍ମାନିତ ୭ଓଡ଼ିଆ:
୮ବର୍ଷ ପରେ ଏବର୍ଷ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିବ ଅର୍ଜୁନ ଆଓ୍ୱାର୍ଡ। ପୂର୍ବରୁ ଓଡ଼ିଶାର ୭ଜଣ ଖେଳାଳି ଅର୍ଜୁନ ଆଓ୍ୱାର୍ଡ ପାଇଛନ୍ତି।୧୯୮୧ରେ ମହିଳା ସାଇକେଲ ଚାଳକ ମୀନତି ମହାପାତ୍ର ପ୍ରଥମ ଓଡ଼ିଆ ଭାବେ ପାଇଥିଲେ ଅର୍ଜୁନ ସମ୍ମାନ।ଏହାପରେ ବିଜୟ ଶତପଥୀ,ରଚିତା ପଣ୍ଡା, ହକି ତାରକା ଦିଲ୍ଲୀପ ତୀର୍କି, ଇଗନେସ୍ ତୀର୍କି,ଜ୍ୟୋତି ସୁନୀତା କୁଲୁ, ଏବଂ କେ.ରବିକୁମାର।

Comments are closed.