Odisha Link
Bridging the Missing Links in Odisha

ରତ୍ନମାଳା ସ୍ବାଇଁଙ୍କ ୮ଟି ଅଣୁକବିତା

ରତ୍ନମାଳା ସ୍ବାଇଁଙ୍କ ୮ଟି ଅଣୁକବିତା

ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ରତ୍ନମାଳା ସ୍ବାଇଁଙ୍କ କବିତା ସଂକଳନ ‘ଫଟୋଫ୍ରେମ’
ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉

ଈଶ୍ବର

ମୋ ହାତରେ ତୁମରି ନିର୍ମାଣ
ମୋ ହାତରେ ତୁମରି ବିସର୍ଜନ
ହେ ଦେବତା!
ଏବେ କୁହ
କିଏ ଅଧିକ ଶକ୍ତିମାନ ?

ପ୍ରେମ

ପ୍ରେମ ବୋଲି ଯାହା କିଛି ଦିଶେ
ପ୍ରେମ ନୁହେଁ ସେତ ସୁନାର ହରିଣ
ଦୂରେ ଥାଇ ଖାଲି
ମୁରୁକି ମୁରୁକି ହସେ।

ମୋହ

ସବୁ ମୋହ ଦିନେ ତୁଟିବ
ଡୋରିଟା ଯାହା
ପୁରୁଣା ହୋଇ ଝୁଲୁଥିବ।

ପଳାଶ

ପଳାଶ ଫୁଲକୁ ଦେଖ
ଫଗୁଣରେ ନିଜ ଦେହେ
ନିଜେ ଫଗୁ ବୋଳେ,
ସାରା ଅରଣ୍ୟ
ଈର୍ଷାରେ ଜଳେ।

ପାଳଧୁଆ ଫୁଲ

ବସନ୍ତ ଆସିଲେ
ଝଲସି ଉଠେ ମୋ ହିଆ
ନାଁ ମୋର ପାଳଧୁଆ ।
ପଳାଶକୁ ଦେଖି
ଜଳେ ନାହିଁ ମୋର ଛାତି
ମୁଁ ତ ନିଜ ଚଉପାଶେ
ରଚିଛି ନିଆଁର ତାତି ।

ଚଢ଼େଇ

ଆକାଶରେ ଉଡି ଯାଉଥିବା ହଳେ ଚଢ଼େଇଙ୍କୁ ପଚାରିଲି
ତୁମେ ଦୁହେଁ କ’ଣ ସଂପର୍କରେ ସ୍ବାମୀ-ସ୍ତ୍ରୀ ?
ସେମାନେ ମୁର୍କି ହସି କହିଲେ
ସେ କଥା ଆମେ ଏ ଯାଏଁ ଭାବିନୁ
ସେ ସବୁ ତୁମ ମଣିଷମାନଙ୍କ କାମ।

ରାଧାଚୂଡ଼ା

ଖରାନୁହେଁ ରକ୍ତ ନୁହେଁ ଅବିର ବି ନୁହେଁ
ହଳଦୀ ପାଣିରେ ନିତି
ରାଧାଚୁଡା ଦେହ ଧୋଉଥାଏ ।
ସବୁ ଲାଲ୍ ରଂଗ
ସ୍ମୃତିର ଜ୍ବଳନ ହେଲେ
ରାଧାଚୁଡା ସମୟର
ହଳଦିଆ ପୃଷ୍ଠା ହେଇ ରହିଯାଏ ।

ତୁମେ

ଶ୍ରାବଣ ଆକାଶେ
ସୂର୍ଯ୍ୟ ଲେଖିଲେ କବିତା
ତୁମ କଥା ଭାରି ମନେ ପଡେ
ଲାଜ ଭୟ ତେଜି
ସହର ସାରା ମୁଁ
ତୁମକୁ ହିଁ ଖୋଜି ବୁଲେ।