ବୁର୍ଲା ଭିସୁଟ୍ରେ ରାଗିଂ ଘଟଣା : ୫୨ ହଷ୍ଟେଲ ଅନ୍ତେବାସୀଙ୍କୁ ଜରିମାନା

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଜୁନିୟର ଛାତ୍ରଙ୍କୁ ରାଗିଂ କରିବା ଭିଡିଓ ଭାଇରାଲ ହେବା ପରେ ଉଠିଛି ଅନେକ ପ୍ରଶ୍ନ। ଶିକ୍ଷାନୁଷ୍ଠାନରେ କାହିଁକି ଏପରି ମାନସିକତା। ରାଗିଂ ବିରୋଧରେ କଡା ନିୟମ କାନୁନ ଥିଲେ ମଧ୍ୟ ଏସବୁ କରିବା ଲାଗି କେମିତି ସାହସ ପାଉଛନ୍ତି ଛାତ୍ରଛାତ୍ରୀ। ନିଜ ଜୁନିଅର ଛାତ୍ରଙ୍କୁ ମାର୍ଗଦର୍ଶନ କରିବା ବଦଳରେ ସିନିଅର ଛାତ୍ରମାନେ ନିର୍ଯାତନା ଦେବାର କାହିଁକି ଏ ମାନସିକତା।
ଶତାଧିକ ଜୁନିଅର ଛାତ୍ରଙ୍କୁ ରାଗିଂ କରି ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇଛନ୍ତି ସିନିଅର ଛାତ୍ର। ପ୍ରାୟ ୫୦ଜଣ ଛାତ୍ରଙ୍କ ସାର୍ଟ ଫାଡି ଅର୍ଦ୍ଧନଗ୍ନ କରି ନାଚିବାକୁ ବାଧ୍ୟ କରିବା ସହ ଶାରିରୀକ ନିର୍ଯାତନା ଦେବାକୁ ପଛାଇ ନାହାନ୍ତି ସିନିଅର ଛାତ୍ର। କେବଳ ସେତିକି ନୁହେଁ ଉପର ମହଲାରୁ ତଳମହଲାକୁ ଦୌଡାଇ ପିଟିଛନ୍ତି। ଗତ ୧୯ତାରିଖରେ ବଶିଷ୍ଟ ହଷ୍ଟେଲରେ ବାର୍ଷିକ ଉତ୍ସବ ପାଳନ ବେଳେ ଏହି ଘଟଣା ଘଟିଛି। ଶିକ୍ଷାନୁଷ୍ଠାନରେ ରାଗିଂ ନାମରେ ଜୁନିୟର ଛାତ୍ରଙ୍କୁ ନିର୍ଯାତନା ସବୁ ସୀମା ଟପି ଯାଇଛି। ଭିଡିଓ ସାମ୍ନାକୁ ଆସିବା ପରେ, ଘଟଣାର ତଦନ୍ତ କରିଛନ୍ତି ଭିସୁଟ୍ କୁଳପତି। ୧୦ଜଣ ତୃତୀୟବର୍ଷ ଛାତ୍ରଙ୍କୁ ଗୋଟିଏ ବର୍ଷ ପରୀକ୍ଷା ଦେବା ନିଷେଧ କରାଯାଇଛି। ୫୨ଜଣ ଛାତ୍ରଙ୍କୁ ୨ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି।