Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ଭୁଶୁଡ଼ିଲା ୪ ମହଲା କୋଠା, ୨ ମୃତ

ମୁମ୍ୱାଇ: କିଛି ଦିନ ବ୍ୟବଧାନରେ ପୁଣି ଥରେ ମହାରାଷ୍ଟ୍ରରେ କୋଠା ଭୁଶୁଡ଼ିଛି। ଏପରି ଘଟଣା ମହାରାଷ୍ଟ୍ର ଭିଓ୍ୱଣ୍ଡିର ଶାନ୍ତି ନଗର ଅଞ୍ଚଳରେ ଘଟିଛି। ଏହି ଅଞ୍ଚଳରେ ଥିବା ଏକ ୪ ମହଲା କୋଠା ଆଜି ଭୁଶୁଡ଼ିଯାଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ୪ ଆହତଙ୍କୁ ସ୍ଥାନୀୟ ଆଇଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି କୋଠା ତଳେ ୫ ଜଣ ଲୋକ ଚାପି ହୋଇ ରହିଥିବା ସୂଚନା ରହିଛି।

୨ ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିପାରିଛି। ମୃତକ ହେଲେ ୨୮ ବର୍ଷୀୟ ଶିରାଜ ଅନସାରୀ। ଗତକାଲି ବିଳମ୍ୱିତ ରାତିରେ କୋଠାର କଲମରେ ଫାଟ ଦେଖିବାକୁ ମିଳିଥିଲା। ଏହାପରେ ୨୨ ପରିବାର ବିଳମ୍ୱିତ ରାତିରେ କୋଠା ଖାଲି କରିଦେଇଥିଲେ। ହେଲେ ଆଉ କିଛି ତାଙ୍କ ସମ୍ପର୍କୀୟ କୋଠାରେ ରହିଯାଇଥିଲେ। ତାଙ୍କୁ ଆଣିବା ପାଇଁ ଯାଇଥିବା ବେଳେ ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିଥିଲା ବୋଲି ସୂଚନା ରହିଛି। ଏହାପରେ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସହିତ ଦମକଳ ବାହିନୀ ଓ ଏନଡିଆରଏଫ ଟିମ୍ ଆସି ପହଞ୍ଚିଥିଲା। ଭୁଶୁଡ଼ି ପଡ଼ିଥିବା ଏହି କୋଠାଟି ୮ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।

ଭୁଶୁଡ଼ି ପଡ଼ିଥିବା କୋଠାଟି ବେଆଇନ ଭାବରେ ତିଆରି ହୋଇଥିଲା ବୋଲି ଭିଓ୍ୱଣ୍ଡି ନିଜାମପୁର ମ୍ୟୁନିସିପାଲଟି ଅଧିକାରୀ ଅଶୋକ ରଣଖମ୍ୱ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ମୁମ୍ୱାଇର ଡୋଙ୍ଗରୀରେ ମଧ୍ୟ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ଏଥିରେ ୧୪ ଜଣ ଲୋକଙ୍କର ପ୍ରାଣହାନୀ ହୋଇଥିଲା। ଉଦ୍ଧାରକାରୀ ଟିମ୍ ୭୨ ଘଣ୍ଟା ଧରି ରେସକ୍ୟୁ ଅପରେଶନ ଜାରି ରଖିବା ପରେ ୨୩ ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

Comments are closed.