Odisha Link
Bridging the Missing Links in Odisha

ମାନ୍ଦାବସ୍ଥା ସୁଧାରିବାକୁ ସୀତାରମଣଙ୍କ ଉଦ୍ୟମ: ହଟିଲା ସର୍‌ଚାର୍ଜ, ବଢ଼ିବ ନିବେଶ

ନୂଆଦିଲ୍ଲୀ: ମାନ୍ଦାବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଅର୍ଥନୀତି ନିମ୍ନଗାମୀ ହେଉଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିବା ପରେ ନିଜର ମତ ଦେିଛନ୍ତି ନିର୍ମଳା ସୀତାରମଣ। ଶୁକ୍ରବାର ମୁଡିସ୍‌ ଇନ୍‌ଭେଷ୍ଟର ସର୍ଭିସ୍‌ ଭାରତର ଜିଡିପି ହ୍ରାସ ନେଇ ଆକଳନ କରିବା ପରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମଧ୍ୟ ମୁହଁ ଖୋଲିବା ସ୍ଥିତି ଗମ୍ଭୀର ଥିବା ପ୍ରମାଣିତ କରିଥିଲା। ତେବେ ଏହା ପରେ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପକ୍ଷ ରଖିବା ସହ ପ୍ରତିକାର ପାଇଁ ବିଭିନ୍ନ ଘୋଷଣା କରିଛନ୍ତି।

ଆରବିଆଇ ରେପୋ ରେଟ୍‌ ହ୍ରାସର ଫାଇଦା ବ୍ୟାଙ୍କ ଜରିଆରେ ଋଣକର୍ତ୍ତାଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା ସହ ବିଦେଶୀ ନିବେଶ ଉପରୁ ଅତିରିକ୍ତ ଶୁଳ୍କ ପ୍ରତ୍ୟାହାର କରାଯିବ। ସେ ଆହୁରି ମଧ୍ୟ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦେବା ପାଇଁ ତଥାକଥିତ ଏଞ୍ଜେଲ ଟ୍ୟାକ୍ସ ଉଠାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସିଏସ୍‌ଆର ନିୟମ ଉଲ୍ଲଂଘନକୁ ଏକ ଅପରାଧ ଭାବେ ବିବେଚନା କରାଯିବ ନାହିଁ। ନିର୍ମଳା ଭାରତୀୟ ଅର୍ଥନୀତିକୁ ନେଇ ହେଉଥିବା ଚର୍ଚ୍ଚା ବାବଦରେ କହିଛନ୍ତି, ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ସତ୍ତ୍ୱେ ଅନ୍ୟ ସମସ୍ତ ବଡ଼ ବଡ଼ ଅର୍ଥନୀତି ତୁଳନାରେ ଭାରତର ଅଭିବୃଦ୍ଧି ହାର ଅଧିକ ରହିଥିଲା। ଅର୍ଥନୀତିକ ସଂସ୍କାରକୁ ଗୁରୁତ୍ୱ ଦିଆଯାଉଥିବା କହିବା ସହ ଏହା ଏକ ପ୍ରକ୍ରିୟା ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ୭୦ ହଜାର କୋଟି ଟଙ୍କାର ନିବେଶ କରି ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସୁଦୃଢ଼ କରାଯିବ।

ଅର୍ଥନୀତିକ ସୁଧାର ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ମଳା କହିଛନ୍ତି, ଅଟୋମୋବାଇଲ ବା ଯାନବାହାନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ବିଭିନ୍ନ ବିଭାଗର ପୁ଼ରୁଣା ଗାଡ଼ି ବଦଳାଇବାକୁ ଅନୁମତି ଦେବେ। ଏହା ଫଳରେ ଗାଡ଼ିଗୁଡ଼ିକର ବିକ୍ରି ବଢ଼ିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଯାନବାହନ ବିକ୍ରିକୁ ବଢ଼ାଇବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଦ୍ୱାରା ଘୋଷିତ ରେପୋ ରେଟ୍‌ ହ୍ରାସର ଫାଇଦା ଋଣ ନେଇ ଗାଡ଼ି କିଣୁଥିବା ଲୋକେ ପାଇପାରିବେ। ଏଥିସହିତ ଆଉ କଣ କଣ ପ୍ରମୁଖ ଘୋଷଣା କରିଛନ୍ତି ସୀତାରମଣ ଆସନ୍ତୁ ଜାଣିବା

ପ୍ରମୁଖ ଘୋଷଣା:

  • ଶେୟାର ବଜାରରେ କ୍ୟାପିଟାଲ ଗେନ୍ସରୁ ସରଚାର୍ଜ ହଟିଲା
  • ଏଫ୍‌ ପିଆଇଙ୍କ ଉପରୁ ସୁପରରିଚ୍‌ ସରଚାର୍ଜ ପ୍ରତ୍ୟହାର
  • ଋଣ ଆବେଦନକୁ ଅନ୍‌ଲାଇନରେ ନଜର ରଖି ହେବ
  • ଋଣ ଫେରସ୍ତ ହେବାର ୧୫ଦିନ ଭିତରେ ବନ୍ଧକ କାଗଜପତ୍ର ମିଳିବ
  • ରେପୋ ରେଟ ସହ ସୁଧ ହାରକୁ ଯୋଡ଼ାଯିବ
  • ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଦିଆଯିବ ୭୦ ହଜାର କୋଟି ଟଙ୍କା ପ୍ୟାକେଜ
  • ଆଧାର ସହ ଯୋଡ଼ାଯିବ ଡିମ୍ୟାଟ୍‌ ଆକାଉଣ୍ଟ
  • ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିଣାଯାିଥିବା ବିଏସ୍-୪ ଗାଡ଼ି ବୈଧ ହେବ
  • ଇଲେକ୍ଟ୍ରିକ ଓ ଇସିଭି ରେଜିଷ୍ଟ୍ରେଶନ ଜାରି ରହିବ
  • ୩୦ ଦିନ ଭିତରେ ଜିଏସ୍‌ଟି ରିଫଣ୍ଡ

Comments are closed.