ବିଶ୍ବ ଐତିହ୍ୟ ସହର ହେବ ପୁରୀ, ଦେଖନ୍ତୁ ଆଖି ଝଲସା ନକ୍ସା

ପୁରୀ : ବିଶ୍ୱ ଐତିହ୍ୟ ସହର ଭାବେ ମାନ୍ୟତା ପାଇବ ପୁରୀ ଏଥିପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଶ୍ରୀକ୍ଷେତ୍ରର ଭିତ୍ତିଭୂମିଠୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ, ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ଏହି ସବୁ ଅର୍ଥ ଖର୍ଚ୍ଚ ହେବ। ଏପରିକି ମାଳତିପାଟପୁରରୁ ଜଗନ୍ନାଥବଲ୍ଲଭ ମଠକୁ ଯୋଗାଯୋଗ ଲାଗି ରାଜ୍ୟର ପ୍ରଥମ ଟ୍ରମ୍ପେଟ୍ ସେତୁ ନିର୍ମାଣର ଯୋଜନା କରାଯାଇଛି।
ଶ୍ରୀକ୍ଷେତ୍ର ପୁରୀକୁ ନୂଆ ରୂପ ଦେବା ପାଇଁ ଲୋକସେବା ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶ୍ରୀକ୍ଷେତ୍ର ପାଇଁ ନୂଆ ବହୁଥାକିଆ ରାସ୍ତା, ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ‘ଶ୍ରୀସେତୁ’ ନାମରେ ଟ୍ରମ୍ପେଟ ବ୍ରିଜ, ଜଗନ୍ନାଥ ବଲ୍ଲଭ ମଠରେ ଦଶ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର, ଅଠର ନଳାର ସୌନ୍ଦର୍ଯ୍ୟକରଣ, ବିଶ୍ୱସ୍ତରୀୟ ପାର୍କିଂ ସୁବିଧା, ମୂଷାନଦୀର ପୁନରୁଦ୍ଧାର, ୨୮ ଏକର ବିଶିଷ୍ଟ ଜମିରେ ଏକ ବଡ଼ ପୋଖରୀ, ଶ୍ରୀମନ୍ଦିର ସିକ୍ୟୁରିଟି ଜୋନରେ ଥିବା ଘର ଉଚ୍ଛେଦ କରାଯାଇ କ୍ଷତିଗ୍ରସ୍ତଙ୍କୁ ଥାଇଥାନ କରାଯିବ। ମଠ ଓ ତୀର୍ଥ ପୁଷ୍କରିଣୀଗୁଡିକର ପୁନରୁଉଦ୍ଧାର କରାଯିବ। ଶ୍ରୀମନ୍ଦିରର ନିରାପତ୍ତା ଦୃଷ୍ଟିରୁ ସେବା ମନୋଭାବରେ ତ୍ୟାଗ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତା’ସହିତ ହଟାଯିବାକୁ ଥିବା ମଠ ଗୁଡ଼ିକର ପୁନଃନିର୍ମାଣ ଲାଗି ପ୍ରଥମ ପର୍ଯ୍ୟାୟରେ ୧୦୦ କୋଟି ଦେବାକୁ ଘୋଷଣା କରିଛନ୍ତି ନବୀନ।
ଜଷ୍ଟିସ ବି.ପି.ଦାଶଙ୍କ ସୁପାରିଶକୁ କାର୍ଯ୍ୟକାରି କରିବାକୁ ଯାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଅଭିଯାନ ଜାରି ରହିଛି। କିଛି ଦିନ ତଳେ କ୍ୟାବିନେଟ ବୈଠକରେ ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦ ଲାଗି ଯେଉଁ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ‘ତ୍ୟାଗପାଇଁ ଆହ୍ୱାନ’ ପରେ ଏହା ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବାର ଆଭାସ ମିଳିଛି। ଏହା ପଛରେ ଆତଙ୍କବାଦୀଙ୍କ ପଟୁ ଥିବା ବିପଦକୁ ଦେଖି ନିରାପତ୍ତା ବ୍ୟବସ୍ଥାର ସୁଦୃଢ଼ୀକରଣକୁ ସରକାର ପ୍ରମୁଖ କାରଣ ବୋଲି ଦର୍ଶାଉଛନ୍ତି। ତେବେ ପୁରୀବାସୀ ଏହାକୁ ସ୍ୱାଗତ କରିଥିଲେ ମଧ୍ୟ ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରାଯିବା ଓ ପ୍ରକଳ୍ପର କାର୍ଯ୍ୟକାରିତା ସମୟରେ ଯେଭଳି ଦୁର୍ନୀତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି। ସରକାରଙ୍କ ଏହି ନୂଆ ଘୋଷଣା ‘ଫୋନି’ ବିଧ୍ୱସ୍ତ ପୁରୀ ସହର ପାଇଁ ବରଦାନ ସଦୃଶ ହୋଇଛି। ହେଲେ ବଡ଼ କଥା ହେଉଛି, ଏହି ଘୋଷଣା ସତରେ କାର୍ଯ୍ୟକାରୀ ହେଉଛି ନା ପୂର୍ବରୁ ଘୋଷିତ ଅନେକ ଯୋଜନାଭଳି ଖାଲି ଧୂଆଁବାଣ ସାଜୁଛି। ତା ଉପରେ ସମସ୍ତଙ୍କ ନଜର ରହିଛି।