Odisha Link
Bridging the Missing Links in Odisha

ଗିରଫ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଲାଗୁ ହେଲା ୧୪୪ ଧାରା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ରିଫାଇନାରୀ ସମ୍ମୁଖରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ଗଣ୍ଡଗୋଳ ଘଟଣାରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗିରଫ ବ୍ୟକ୍ତି ଛତ୍ରପୁରର ପଟ୍ଟନାୟକ ହରିଜନଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମେଡିକାଲରେ ମୃତ୍ୟୁ ହୋଇଛି। ଭବାନୀପାଟଣା କାରାଗାରରେ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ଉତ୍ତେଜନ ଲାଗି ରହିବା ଫଳରେ ବେଦାନ୍ତ ରିଫାଇନାରୀ ପରିସରରେ ୧୪୪ ଧାରା ଲାଗୁ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧୮ ତାରିଖ ଦିନ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକରେ ଆନ୍ଦୋଳନକାରୀ ଓ ବେଦାନ୍ତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ଶେଷରେ ଉଗ୍ରରୂପ ଧାରଣ କରିଥିଲା। କମ୍ପାନୀ ପରିସରରେ ପୋଡାଜଳା ହେବା ସହ ପୋଲିସ ପକ୍ଷରୁ ଲାଠିଚାର୍ଜ ମଧ୍ୟ କରାଯାଇଥିଲା। ଏଥିରେ ଜଣେ ବେଦାନ୍ତ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ହେବା ସହ ଛତ୍ରପୁର ଗ୍ରାମର ବେଦାନ୍ତ ଶ୍ରମିକ ଦାନି ବାତ୍ରାରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୨୯ ଜଣଙ୍କୁ ସିସିଟିଭି ଫୁଟେଜ୍ ଆଧାରରେ ଗିରଫ କରି ଜେଲ୍ ପଠାଇଥିଲା। ତେବେ ଶୁକ୍ରବାର ଦିନ ଜେଲ୍ ରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରେଙ୍ଗୋପାଲି ଗ୍ରାମର ପଟ୍ଟନାୟକ ହରିଜନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ୧୯ତାରିଖ ଦିନ ପଟ୍ଟନାୟକ ହରିଜନଙ୍କର ଜେଲରେ ଦେହ ଖରାପ ହୋଇଥିଲା। ଅତ୍ୟନ୍ତ ଗୁରୁତର ହେବାରୁ ଜେଲ୍ କର୍ମଚାରୀ ଭବାନୀପାଟଣା ଡାକ୍ତରଖାନକୁ ନେଇଥିଲେ। ସେଠାରେ ୨ ଦିନ ଚିକିତ୍ସିତ ହେବା ପରେ ଡାକ୍ତର ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଶୁକ୍ରବାର ଦିନ ଚିକିତ୍ସା ସମୟରେ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଫଳରେ ବେଦାନ୍ତ କମ୍ପାନୀର ୨ କି.ମି. ପରିଧି ମଧ୍ୟରେ ୧୪୪ ଧାରା ଲାଗୁ କରାଯାଇଛି।

Comments are closed.