ସିନ୍ଧୁ ରଚିଲେ ନୂଆ ଇତିହାସ

ବାସେଲ : ଅଗଷ୍ଟ ୨୫ ତାରିଖ ରବିବାର ଭାରତ ପାଇଁ ଥିଲା ଏକ ଐତିହାସିକ ଦିନ। ବିଶ୍ବ ବ୍ୟାଡ୍ମିଣ୍ଟନ ଚାମ୍ପିଅନ୍ସିପ୍ର ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ରଚିଛନ୍ତି ନୂଆ ଇତିହାସ। ପୁରୁଣା ପ୍ରତିଦ୍ବନ୍ଦ୍ବୀ ଜାପାନର ନାଜୋମୀ ଓକୁହାରାଙ୍କୁ ୨୧-୭, ୨୧-୭ରେ ହରାଇ ସ୍ବପ୍ନର ସ୍ବର୍ଣ୍ଣ ପଦକ ଜିତିଛନ୍ତି ସିନ୍ଧୁ। ପାଇଛନ୍ତି ସ୍ମରଣୀୟ ସୁନେଲି ସଫଳତା। ବିଶ୍ବ ମାନ୍ୟତାର ପଞ୍ଚମ ସିନ୍ଧୁ ଓ ଚତୁର୍ଥ ମାନ୍ୟତାପ୍ରାପ୍ତ ଓକୁହାରାଙ୍କ ମଧ୍ୟରେ ଲଢ଼େଇ ତୀବ୍ର ହେବାର ସମ୍ଭାବନା ଥିଲା।
ଏହା ପୂର୍ବରୁ ୨୦୧୭ ସଂସ୍କରଣ ଫାଇନାଲ୍ରେ ଉଭୟେ ମୁହାଁମୁହିଁ ହୋଇଥିଲା ବେଳେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ ଓକୁହାରା। କିନ୍ତୁ ଏଥର ସିନ୍ଧୁ ଦୃଢ଼ ମନୋବଳ ସହ ମଇଦାନକୁ ଓହ୍ଲାଇଥିଲେ। ଆଉ ୨୦୧୭ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ଓକୁହାରାଙ୍କଠୁ ନେଇଗଲେ। ଓକୁହାରା ମଧ୍ୟ ରବିବାର ଟ୍ରଫି ମୁକାବିଲାରେ ସିନ୍ଧୁଙ୍କ ନିକଟରେ ଏକରକମ ଆତ୍ମସମର୍ପଣ କରିଥିଲେ। ସିନ୍ଧୁ ସିଧାସଳଖ ଗେମ୍ରେ ଓକୁହାରାଙ୍କୁ ପରାସ୍ତ କରିଦେଇଥିଲେ। ପ୍ରଥମ ଗେମ୍କୁ ମାତ୍ର ୧୬ ମିନିଟ୍ରେ ଜିତିନେବା ପରେ ସିନ୍ଧୁଙ୍କୁ ଦ୍ବିତୀୟ ଗେମ୍ ଜିତିବା ପାଇଁ ୨୦ ମିନିଟ୍ ଲାଗିଥିଲା। ଫଳରେ ମାତ୍ର ୩୬ ମିନିଟ୍ ଲଢ଼େଇରେ ସିନ୍ଧୁ ୨୧-୭ ଓ ୨୧-୭ରେ ଓକୁହାରାଙ୍କୁ ପରାସ୍ତ କରି ପ୍ରତିଶୋଧ ନେଇଗଲେ। ଆଉ ସ୍ବର୍ଣ୍ଣ ପଦକ ଉପରେ କବ୍ଜା କରି ପ୍ରଥମ ଭାରତୀୟ ହେବାର ଗୌରବ ବହନ କଲେ। ଓକୁହାରାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିବା ପୂର୍ବରୁ ସିନ୍ଧୁ କ୍ବାର୍ଟର ଫାଇନାଲ୍ରେ ବିଶ୍ବ ମାନ୍ୟତାର ପୂର୍ବତନ ଶୀର୍ଷ ତଥା ଏବର ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚାଇନିଜ୍ ତାଇପେର ତାଇ ଜୁ ୟିଙ୍ଗ୍ଙ୍କୁ ଏବଂ ସେମିଫାଇନାଲ୍ରେ ବିଶ୍ବ ମାନ୍ୟତାର ତୃତୀୟ ତଥା ଅଲ୍ ଇଂଲଣ୍ଡ ବିଜୟିନୀ ଚେନ୍ ୟୁ ଫେଇଙ୍କୁ ପରାସ୍ତ କରିଥିଲେ।