୧୫ ଲକ୍ଷ ଟଙ୍କାର ଗଞେଇ ଜବତ

କଟକ : କଟକ ନିର୍ଗୁଣ୍ଡି ନିକଟରୁ ୧୫ ଲକ୍ଷ ଟଙ୍କାର ଗଞେଇ ଜବତ ହୋଇଛି। ଦାମୀ କାର୍ ସହ ଜଣଙ୍କୁ ଗିରଫ କରି ଖୋଳତାଡ କରୁଛି ଅବକାରୀ ଗୁଇନ୍ଦା ବିଭାଗ। କନ୍ଧମାଳରୁ କଟକ ଦେଇ ଏହି ଗଞ୍ଜେଇ କଲିକତା ଚାଲାଣ ହେଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।
କନ୍ଧମାଳରୁ କଲିକତା ଭାୟା କଟକ ରୁଟ୍ ଦେଇ ଚାଲାଣ ହେଉଛି ପୁଳା ପୁଳା ଗଞ୍ଜେଇ। ରବିବାର କଟକ ନିର୍ଗୁଣ୍ଡିରୁ ୬ ବସ୍ତା ଗଞ୍ଜେଇ ଜବତ କରିଛି ଗୁଇନ୍ଦା ସ୍କ୍ବାର୍ଡ। ଯାହାର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏକ ଧଳା ଦାମୀ କାର୍ ଦୃତ ଗତି ରେ ଆସୁଥିବା ଦେଖି ଅବକାରୀ କର୍ମଚାରୀ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଡ୍ରାଇଭର ଗାଡିକୁ ପ୍ରଥମେ ଡିଭାଇଡରରେ ବାଡେଇବା ସହ ଅବକାରୀ କର୍ମଚାରୀଙ୍କୁ ଧକ୍କା ଦେବାକୁ ଉଦ୍ୟମ କରିଥିଲା । ହେଲେ ଅବକାରୀ କର୍ମଚାରୀ କୌଶଳ କ୍ରମେ ଗାଡିକୁ କାବୁ କରି ଡ୍ରାଇଭରକୁ ଗିରଫ କିରଛନ୍ତି।
ଗିରଫ ଅଭିଯୁକ୍ତ ରମାକାନ୍ତ ବେଉରା। ପୂର୍ବରୁ ରମାକାନ୍ତ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଥିଲେ। ତେବେ ଗୋଟିଏ ଗାଡି ପାର୍ କରି ଦେବାକୁ ୫ ହଜାର ଟଙ୍କା ମିଳୁଥିବା ସେ କହିଛନ୍ତି। ତେଣୁ ଏହି ଗଞେଇ ଚାଲାଣ ପଛରେ ଏକ ରାକେଟ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଯାଇଛି। ମାଷ୍ଟର ମାଇଣ୍ଡକୁ ଧରିବାକୁ ଉଦ୍ୟମ ଚଳାଇଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ।