Odisha Link
Bridging the Missing Links in Odisha

ଟ୍ରମ୍ପ-ମୋଦି ସାକ୍ଷାତ: ୟୁ-ଟର୍ଣ୍ଣ ନେଲେ ଟ୍ରମ୍ପ୍

ବିଏରିଜ୍‌: ଆଜି ଜି-୭ ସମ୍ମିଳନୀ ଅବସରରେ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୀର୍ଘ ସମୟଧରି କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଉଥିବା ଟ୍ରମ୍ପ ବୈଠକ ପରେ ୟୁ-ଟର୍ଣ୍ଣ ନେଇଛନ୍ତି। ଜମ୍ମୁ-କଶ୍ମୀରରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ଏହା ନୂଆଦିଲ୍ଲୀ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଛନ୍ତି।

ମୋଦିଙ୍କ ସହ ସାକ୍ଷାତ କରିବା ସମୟରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ପାକିସ୍ତାନ କଥାକୁ ସମର୍ଥନ କରି ଟ୍ରମ୍ପ ଆରମ୍ଭରୁ ଭାରତ ସରକାର କାହିଁକି ଜମ୍ମୁ-କଶ୍ମୀରରୁ ଏକପାଖିଆ ଭାବେ ୩୭୦ ଧାରା ଉଚ୍ଛେଦ କଲେ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବ ଦେଇ ମୋଦି କହିଥିଲେ,“୧୯୪୭ ପୂର୍ବରୁ ଭାରତ ଓ ପାକିସ୍ତାନ ଏକାଠି ଥିଲେ। ଏବେ ଦୁଇ ଦେଶ ମଧ୍ୟରେ ଅନେକ ସମସ୍ୟା ରହିଛି। ଆମେ ଆଲୋଚନା ଦ୍ୱାରା ହିଁ ଏଗୁଡ଼ିକୁ ସମାଧାନ କରିବୁ।କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଆମେ ଏଥିରେ ତୃତୀୟ ପକ୍ଷରୁ ହସ୍ତକ୍ଷେପ ଚାହୁଁନାହୁଁ। କଶ୍ମୀର ପ୍ରସଙ୍ଗରେ ଆମେ ତୃତୀୟ ପକ୍ଷଙ୍କୁ କଷ୍ଟ ଦେବାକୁ କେବେ ହେଲେ ଚାହିଁବୁ ନାହିଁ।

ବିଶ୍ୱର ସବୁ ରାଷ୍ଟ୍ର ମନେ ରଖିବା ଦରକାର ଯେ କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ। ଭାରତର ଅଭିନ୍ନ ଅଙ୍ଗ ହେଉଛି ଜମ୍ମୁ-କଶ୍ମୀର। ଏଠାରୁ ଭାରତ ସରକାର ନିଜ ଇଚ୍ଛାରେ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିରେ ଆଉ କେହି ହସ୍ତକ୍ଷେପ କରିବା ଠିକ୍‌ ହେବନାହିଁ।

କଶ୍ମୀରକୁ ନେଇ ଅନେକ ଅପପ୍ରଚାର କରାଯାଉଛି। ହେଲେ ବାସ୍ତବରେ କଶ୍ମୀରରେ ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ରହିଛି। କେବଳ କଶ୍ମୀର ନୁହେଁ, ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମସ୍ୟା ରହିଛି। ଆମର ଆଶା ଆମେ ସମସ୍ତେ ମିଳିମିଶି ଆଲୋଚନା ଦ୍ୱାରା ହିଁ ଏହାର ସମାଧାନ କରିପାରିବା। ଭାରତ ଓ ପାକିସ୍ତାନ ମିଳିତ ଭାବେ ଗରିବୀ ଓ ନିରକ୍ଷର ବିରୋଧରେ ଲଢ଼େଇ କରିବା ଉଚିତ। ଇମ୍ରାନ୍‌ ଖାନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ତାଙ୍କ ସହ କଥା ହୋଇଥିଲି। ଏହି ସମୟରେ ଆମେ ମିଳିତ ଭାବେ ଦେଶର ଲୋକ ଏବଂ ଗରିବୀ ହଟାଇବା ପାଇଁ କାର୍ଯ୍ୟ କରିବା ଦରକାର ବୋଲି କହିଥିଲି। ତେଣୁ ଆମର ପ୍ରଥମ ଲକ୍ଷ୍ୟ ହେଲା ଲୋକଙ୍କ ପାଇଁ କାମ କରିବା।”

ଟ୍ରମ୍ପ ବୈଠକ ପରେ କହିଛନ୍ତି, “ଆମେ କଶ୍ମୀର ଓ ପାକିସ୍ତାନ ସମ୍ପର୍କରେ ଆଲୋଚନା କରିଛୁ। କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହାକୁ ଉଭୟ ଦେଶ ଆଲୋଚନା ଦ୍ୱାରା ସମାଧାନ କରିବା ଦରକାର। ମୋଦି ଖୁବ ଭଲ ଇଂରାଜୀ କହିଛନ୍ତି। କଶ୍ମୀରରେ ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ରହିଛି। ଆଶା ଉଭୟ ଦେଶ ଆଲୋଚନା କରି ନିଜ ମଧ୍ୟରେ ରହିଥିବା ବିବାଦର ସମାଧାନ କରିବେ। ଆମେ କେବଳ କଶ୍ମୀର ନୁହେଁ ଶିଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା କରିଛୁ। ପ୍ରତିରକ୍ଷା ଡିଲ୍‌ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇଥିଲା। ଗତକାଲି ରାତିରେ ଆମେ ଏକାଠି ଡିନର କରିଥିଲୁ। ଏକାଠି ଢେର ସମୟ ଭାରତର ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲୁ। ଉଭୟ ଭାରତ ଓ ପାକିସ୍ତାନ ସହ ଆମେରିକାର ଭଲ ସମ୍ପର୍କ ରହିଛି। ତେଣୁ ଭାରତ ଓ ପାକିସ୍ତାନ ଯଥାଶୀଘ୍ର ବିବାଦର ସମାଧାନ କରିବା ଦରକାର।”

Comments are closed.