ଜିଲ୍ଲାପାଳ ହେବ ତ ଏମିତି

ନୟାଗଡ଼: ପୁଣିଥରେ ଚର୍ଚ୍ଚାରେ ନୟାଗଡ଼କୁ ନୂଆକରି ଆସିଥିବା ଜିଲ୍ଲାପାଳ ଡ.ପୋମା ଟୁଡୁ। ପୂର୍ବରୁ ଅନେକ ମହତ କାର୍ଯ୍ୟକରି ଲୋକଙ୍କ ପ୍ରିୟ ହୋଇପାରିଥିବା ପୋମା ଏଥର ନୟାଗଡ଼ବାସୀଙ୍କ ମନ ଜିଣିଛନ୍ତି। ନୂଆକରି ଦାୟିତ୍ବ ଗ୍ରହଣ କରିବା ପରେ ଜିଲ୍ଲାପାଳ ପୋମା ଟୁଡୁ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିବା ସହିତ ଲୋକଙ୍କ ନିକଟତର ହେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।
ଆଜି ପୋମା ଟୁଡୁ ଭାପୁର ବ୍ଲକ ଗସ୍ତରେ ଯାଇଥିଲେ। ଭାପୁର ବ୍ଲକରେ ଥିବା ମାଲିବେରିଣୀ ଆଶ୍ରମସ୍କୁଲ ପରିଦର୍ଶନ କରିଥିଲେ। ଆଶ୍ରମସ୍କୁଲର ସ୍ଥିତି ପରଖିବା ସହିତ ଛାତ୍ରଛାତ୍ରୀଙ୍କ ଭଳମନ୍ଦ ବୁଝିଥିଲେ। ଏଥିସହିତ ଆଶ୍ରମସ୍କୁଲର ଛାତ୍ରଛାତ୍ରୀଙ୍କୁ ପାଠ ମଧ୍ୟ ପଢାଇଥିଲେ। ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ବେଶ୍ ଭଲ ପାଇଛନ୍ତି।
ସେହିପରି ଶାସନ ପଞ୍ଚାୟତ ରଗଡିପଡା ଗ୍ରାମରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନ ବାଡି କେନ୍ଦ୍ରମାନଙ୍କୁ ଯୋଗାଇ ଦେଉଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ତେବେ ସେଠାରେ ଛତୁଆରେ ନିମ୍ନମାନର ଓ ପୋକରା ବାଦାମ ପକାଯାଉଥିବା ଜାଣି ଜିଳ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ଭାପୁର ଶିଶୁ ଓ ମହିଳା ବିକାଶ ଅଧିକାରୀ ରେଣୁବାଳା ନନ୍ଦଙ୍କୁ ତାଗିଦ୍ କରିଛନ୍ତି।
ଆଜି ଅପରାହ୍ନ ସମୟ ପ୍ରାୟ ୩ ଟା ୩୦ରେ ଜିଲ୍ଲାପାଳ ପ୍ରକଲ୍ପ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ଭାପୁର ତହସିଲଦାର ଡା ସୁନିତା ଜେନାଙ୍କ ସହ ମାଳିବେରେଣୀ ସେବାଶ୍ରମ ବିଦ୍ୟାଳୟରେ ପହଞ୍ଚିଥିଲେ। ପିଲାମାନଙ୍କୁ କିଛି ସମୟ ପାଠ ପଢ଼ାଇବା ସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଭିତ୍ତିଭୂମି ସଂପର୍କରେ ଅନୁଧ୍ୟାନ କରିଥିଲେ। ପରେ ଶାସନ ପଂଚାୟତର ରଗଡିପଡା ଗ୍ରାମରେ ଥିବା ତ୍ରିନାଥ ଦେବ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ଭାପୁର ବ୍ଲକର ୭୭ଟି ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ଯୋଗାଣ କେନ୍ଦ୍ର ବୁଲି ଦେଖିଥିଲେ।
ଏହାପୂର୍ବରୁ ପୋମା ଟୁଡ଼ୁ ନୂଆପଡ଼ାର ଜିଲ୍ଲାପାଳ ଥିଲାବେଳେ ହାତରେ ବାଡ଼ି ଧରି ୪ କିଲୋମିଟର ଜଙ୍ଗଲ ଚଢି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ଲାଗି ଯିବା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା।