Odisha Link
Bridging the Missing Links in Odisha

ପାକ୍‌ ମନ୍ତ୍ରୀ ଫବାଦ ଚୌଧୁରୀ ଚନ୍ଦ୍ରଯାନ-୨କୁ ନେଇ ଏମିତି କଲେ ଟ୍ୱିଟ୍‌

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ ଚନ୍ଦ୍ରଯାନ-୨କୁ ନେଇ ଚର୍ଚ୍ଚା। ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଏହି ଘଟଣା କେବଳ ଭାରତ ନୁହେଁ, ସାରା ବିଶ୍ୱବାସୀଙ୍କୁ ହତାଶ କରିଛି। ଏପରି ସମୟରେ ପାକିସ୍ତାନ ତାର ଅସଲରୂପ ଦେଖେଇବାକୁ ଭୁଲି ନାହିଁ। ପାକିସ୍ତାନ ଭାରତ ବିରୋଧରେ ବିଷୋଦ୍‌ଗାର କରିବାକୁ ଭୁଲିନି। ରାଗ ସୁଝାଇବାକୁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନି। ଅବଶ୍ୟ ଏଥିପାଇଁ ନିଜ ଘରେ ବି ତାକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଚନ୍ଦ୍ରଯାନ-୨ ସଫଳତାର ହାତପାହାନ୍ତାରେ ପହଞ୍ଚିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଥିଲା। ହେଲା ଦୁର୍ଭାଗ୍ୟ, ଚନ୍ଦ୍ରଠାରୁ ମାତ୍ର ୨ କିମି ଦୂରରୁ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସାରା ବିଶ୍ୱରେ ନିରାଶା ଛାଇ ଯାଇଥିବାବେଳେ ପାକ୍‌ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଫବାଦ ହୁସେନ୍‌ ଚୌଧୁରୀ ଏକ ଟ୍ୱିଟ୍‌ କରି ଥିଲେ। ଟ୍ୱିଟ୍‌ରେ ଫବାଦ ଭାରତର ଏହି ମହାକାଶ ଯାତ୍ରାକୁ ବ୍ୟଙ୍ଗ କରିଥିବାବେଳେ ଏହାର ଜବାବ୍‌ କେବଳ ଭାରତୀୟ ନୁହଁନ୍ତି, ପାକିସ୍ତାନୀମାନେ ମଧ୍ୟ ଭଲ ଭାବେ ଶୁଣାଇ ଦେଇଛନ୍ତି।

ଫବାଦ ତାଙ୍କ ଟ୍ୱିଟ୍‌ରେ କହିଥିଲେ ଯେ, ‘ ଯେଉଁ କାମ ଆସେନି, ସେଥିରେ ହାତ ମାରନି…ଡିଅର ଇଣ୍ଡିଆ…’ ଆହୁରି ଫବାଦ ଜଣେ ଭାରତୀୟ ଟ୍ୱିଟ୍‌ର ଉତ୍ତର ଦେଇ ଲେଖିଥିଲେ, ଶୋଇଯା ଭାଇ, ଚନ୍ଦ୍ରମା ବଦଳରେ ମୁମ୍ବାଇରେ ଓହ୍ଲାଇ ପଡ଼ିଲା ଖେଳନା…’

ଅନ୍ୟ ଜଣେ ୟୁଜର ଲେଖିଥିଲେ, ସବୁଠାରୁ ମଜାଦାର କଥା ହେଲା, ଚନ୍ଦ୍ରଯାନ-୨ ଫବାଦ ଚୌଧୁରୀଙ୍କୁ ସାରାରାତି ଉଜାଗର ରହିବାକୁ ବାଧ୍ୟ କରି ଦେଇଥିଲା। ପାକିସ୍ତାନୀମାନେ ମଧ୍ୟ ଫବାଦ ଚୌଧୁରୀଙ୍କର ଏପରି ଟ୍ୱିଟ୍‌କୁ ସମାଲୋଚନା କରିଥିଲେ। ଜଣେ ପାକ୍‌ ୟୁଜର୍ସ ଲେଖିଛନ୍ତି ‘ ପାକିସ୍ତାନ ତରଫରୁ କ୍ଷମା ମାଗୁଛି। ଫବାଦଙ୍କ ଟ୍ୱିଟ୍‌ ଦୁର୍ଭାବନାରେ ଭରପୁର।’

ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି‘ ଫବାଦ ଚୌଧୁରୀ ଆମ ପାଇଁ ଲଜ୍ଜାର କାରଣ ନ ହୁଅ। ଚନ୍ଦ୍ର ଉପରେ ଅବତରଣ କରିବାର ପ୍ରୟାସ ଭାରତ ତ କଲା। ଆମକୁ ଯେ କୌଣସି ଦେଶର ବୈଜ୍ଞାନିକଙ୍କ ଉଦ୍ୟମକୁ ପ୍ରଶଂସା କରିବା ଉଚିତ୍‌ ଏବଂ ସେଥିରୁ ପ୍ରେରଣା ଗ୍ରହଣ କରିବା ଉଚିତ୍‌।’

କିଛି ଦିନ ପୂର୍ବରୁ ଫବାଦ ହୁସେନ୍ ଚୌଧୁରୀ ଘୋଷଣା କରିଥିଲେ ଯେ, ପାକିସ୍ତାନ ତାର ଅତିନିକଟତର ସହଯୋଗୀ ଚୀନ୍‌ର ଉପଗ୍ରହ ପ୍ରକ୍ଷେପଣ ତଥ୍ୟକୁ ଉପଯୋଗ କରି ୨୦୨୨ମସିହାରେ ଅନ୍ତରୀକ୍ଷକୁ ତାର ପ୍ରଥମ ମହାକାଶ ଯାତ୍ରୀ ପଠାଇବ। ଚୌଧୁରୀ ଏକ ଟ୍ୱିଟ୍‌ରେ କହିଥିଲେ ଯ, ଅନ୍ତରୀକ୍ଷକୁ ପ୍ରଥମ ପାକିସ୍ତାନୀ ପଠାଇବାର ପ୍ରସ୍ତୁତି କାମ ୨୦୨୦ରେ ଆରମ୍ଭ ହେବ। ଏଥିପାଇଁ ୫୦ ଜଣ ବ୍ୟକ୍ତିଙ୍କର ଏକ ତାଲିକା ପ୍ରସ୍ତୁତ ହେବ। ତା’ ପରେ ଏଥିରୁ ୨୫ ଜଣଙ୍କୁ ମନୋନୀତ କରାଯିବ। ୨୦୨୨ରେ ଆମେ ପାକିସ୍ତାନର ପ୍ରଥମ ଯାତ୍ରୀଙ୍କୁ ଚନ୍ଦ୍ରରେ ଅବତରଣ କରିବା ପାଇଁ ପ୍ରେରଣ କରିବୁ। ଏହା ଆମ ଦେଶର ସବୁଠାରୁ ବଡ ମହାକାଶ କାର୍ଯ୍ୟକ୍ରମ ହେବ।