Odisha Link
Bridging the Missing Links in Odisha

ସାମ୍ବାଦିକ ଦିଲୀପ ଶତପଥୀଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ପରଲୋକରେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀ। ତାଙ୍କ ପରଲୋକରେ ମୁଖମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ, ବିଶିଷ୍ଟ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ଶତପଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ। ଦିଲ୍ଲୀପ ଭାଇ ଓଡ଼ିଶା ଗଣମାଧ୍ୟମ ଜଗତରେ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ।

ଶ୍ରୀ ଶତପଥୀ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ଏଥିଯୋଗୁ ସେ ନିୟମିତ ଭାବେ ଚିକିତ୍ସିତ ହେଉଥିଲେ। ଗତ ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତୁରନ୍ତ ତାଙ୍କୁ ଏକ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୬୩ରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଶା ସାମ୍ବାଦିକତା ଜଗତରେ ଥିଲେ ଅନ୍ୟତମ ବ୍ୟକ୍ତିତ୍ୱ। ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନସିଆଲ ଏଡିଟର ଭାବେ କାର୍ଯ୍ୟ କରୁଥିଲେ। ବିଭିନ୍ନ ଟେଲିଭିଜନ ଗଣମାଧ୍ୟମରେ ପ୍ୟାନେଲିଷ୍ଟ ଓ ଛପା ଗଣମାଧ୍ୟମରେ ସ୍ତମ୍ଭକାର ଭାବେ ତାଙ୍କର ପ୍ରସିଦ୍ଧି ରହିଥିଲା। ସେ ରାଜ୍ୟର ବିଭିନ୍ନ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ସହ ମଧ୍ୟ ଜଡ଼ିତ ରହିବା ସହ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ମଧ୍ୟ ପରିଚୟ ଲାଭ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ରାଜ୍ୟ ଗଣାମଧ୍ୟମ ଜଗତରେ ଶୋକର ଛାୟା ଖେଳି ଯାଇଛି।

Comments are closed.