ଆତଙ୍କୀ ଓ ପାକିସ୍ତାନ ସମ୍ପର୍କକୁ ନେଇ ସତ ମାନିଲେ ଇମ୍ରାନ

ଇସ୍ଲାମାବାଦ: ସବୁଆଡ଼ୁ ନିରାଶ ହେବା ପରେ ସତ ମାନିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ପାକିସ୍ତାନ ସହ ଆତଙ୍କବାଦୀଙ୍କ ସମ୍ପର୍କକୁ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସ୍ୱୀକାର କରିଛନ୍ତି। ଏଥିସହ ପରୋକ୍ଷରେ ଆମେରିକାକୁ ଦାୟୀ କରିଛନ୍ତି ଇମ୍ରାନ। ଆମେରିକା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା(ସିଆଇଏ) ହିଁ ପାକିସ୍ତାନକୁ ଜିହାଦୀ ପାଳନ କରିବାକୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦିଏ ବୋଲି ଇମ୍ରାନ ଖାନ୍ କହିଛନ୍ତି। ଏହାବାଦ୍ ସେ ପାକିସ୍ତାନରେ ଆତଙ୍କବାଦ ବଢ଼ିବା ପଛରେ ଆମେରିକାକୁ ପରୋକ୍ଷରେ ଦାୟୀ ମଧ୍ୟ କରିଛନ୍ତି।
୮୦ ଦଶକରେ ସୋଭିଏଟ ରୁଷ ଆଫଗାନିସ୍ତାନ ଉପରେ କବ୍ଜା କରିଥିବାବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ମୁଜାହିଦ୍ଦିନଙ୍କୁ ତା’ ବିରୋଧରେ ଜିହାଦ କରିବା ଲାଗି ପ୍ରଶିକ୍ଷଣ ଦେଉଥିଲା। ଏଥିପାଇଁ ଆମେରିକାର ସିଆଇଏରୁ ପାଣ୍ଠି ମିଳୁଥିଲା। ପରେ ଆମେରିକା ଆଫଗାନିସ୍ତାନରେ ସଫଳ ହୋଇ ନ ପାରିବାରୁ ଏବେ ଏବେ ସେହି ଜିହାଦୀଙ୍କୁ ଆତଙ୍କବାଦୀ ବୋଲି କହୁଛି ଆମେରିକା। ଇମ୍ରାନ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀ ସଂଗଠନ ମୁଜାହିଦ୍ଦିନକୁ ପାକିସ୍ତାନରେ ପ୍ରଶିକ୍ଷଣ ଦିଆଯିବା ସହ ସେମାନଙ୍କ ପିଛାରେ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଇମ୍ରାନ କହିଛନ୍ତି।