Odisha Link
Bridging the Missing Links in Odisha

ଉତ୍କଳ ବିଶ୍ବବିଦ୍ୟାଳୟ: ତାତିଲେ ଛାତ୍ରଛାତ୍ରୀ, ପ୍ରତିଶୃତି ଦେଲେ କୁଳପତି

ଭୁବନେଶ୍ବର: ଆଜି ସକାଳ ୧୦ଟାରେ ଅଶାନ୍ତ ହୋଇଥିଲା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍। ୧୦ ଦଫା ଦାବି ନେଇ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। କାର୍ଯ୍ୟାଳୟ ଆଗରେ ଦାବି ଜଣାଇଥିଲେ ଛାତ୍ରଛାତ୍ରୀ। ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ମୁଖ୍ୟତଃ ପାଠପଢା , ପରୀକ୍ଷା, କ୍ୟାମ୍ପସର ଉନ୍ନତି, ହଷ୍ଟଲରେ ଲାଗି ରହିଥିବା ଅସୁବିଧା, ରଙ୍ଗ ରୁଟ୍‌ ଏବଂ ଅନାନ୍ୟ ୧୦ ଟି ପ୍ରମୁଖ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଏଥିସହିତ ବିଶ୍ବବିଦ୍ୟାଳୟ ପରିସରରେ ଜାତୀୟ ପତାକା, ସିସିଟିଭି କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ। କୁଳପତି ନ ଆସିବାରୁ ଉତ୍ୟକ୍ତ ଛାତ୍ରଛାତ୍ରୀ ବିଭିନ୍ନ ନାରାବାଜି କରିବା ସହିତ କାର୍ଯ୍ୟାଳୟ ଭିତରକୁ ପଶିବା ପାଇ ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ କର୍ମଚାରୀ ସେପରି କରିବାକୁ ଦେଇନଥିଲେ। ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ। ଏଥିସହିତ ଛାତ୍ରଛାତ୍ରଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ସୁଫଳ ମିଳିପାରିନଥିଲା।

ଅପରପକ୍ଷେ ୟୁ ୟୁ ଷ୍ଟୁଡେଣ୍ଟ ଫୋରମଙ୍କ କିଛି ସଦସ୍ୟଙ୍କ ସହିତ କୁଳପତିଙ୍କୁ ସାକ୍ଷାତ କରିବା ପାଇଁ କହିଥିଲେ। ଏହି ଦାବିକୁ ରକ୍ଷାକରି କୁଳପତି ଏବଂ କିଛି ଛାତ୍ରନେତାଙ୍କ ସହିତ ପ୍ରାୟ ଏକଘଣ୍ଟା ଧରି ଆଲୋଚନା ହୋଇଥିଲା। ପରେ କୁଳପତି ସୌମେନ୍ଦ୍ର ମେହାନ ପଟ୍ଟନାୟକ ଧାରଣାରେ ବସିଥିବା ପିଲାଙ୍କ ନିକଟକୁ ଆସି ୧୦ ଦଫା ଦାବିକୁ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଯାହାଫଳରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରିଥିଲେ।

Comments are closed.