ଉତ୍କଳ ବିଶ୍ବବିଦ୍ୟାଳୟ ବନ୍ଦ ଡାକରା

ଭୁବନେଶ୍ବର: ଭିତ୍ତିଭୂମିର ବିକାଶ ସହ ୧୦ ଦଫା ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। ଏନେଇ ୟୁ ୟୁ ଷ୍ଟୁଡେଣ୍ଟ ଫୋରମ୍ ସଙ୍ଗଠନ ଡାକରେ ସମସ୍ତ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ରାଜନୀତିରୁ ଉର୍ଦ୍ଧ୍ବରେ ରହି ବାଣୀବିହାର ଉନ୍ନତି ନିମନ୍ତେ ବିଭିନ୍ନ ଛାତ୍ର ସଙ୍ଗଠନର ଛାତ୍ରମାନେ ଏକଜୁଟ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ଆନ୍ଦୋଳନରେ ଫୋରମ୍ ସହ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି।
ସୂଚନା ଅନୁସାରେ ଭୁଶୁଡ଼ିବାରେ ଲାଗିଛି ଉତ୍କଳ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି। ୨୦ କୋଟିରୁ ଅଧିକ ଟଙ୍କାର ୫ଟି କୋଠା ଏବେ ଭୂତକୋଠି ପାଲଟିଥିବା ବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ କ୍ୟାମ୍ପସରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଅଚଳ। ସିସିଟିଭି ବି କାମ କରୁନି। ଆଗରୁ ଯାହା ଯେମିତି ପାଚେରି ଭାଙ୍ଗିଥିଲା, ବାତ୍ୟା ‘ଫନି’ ପରେ ସମ୍ପୂର୍ଣ୍ଣ କ୍ୟାମ୍ପସ ମୁକୁଳା। ଇତି ମଧ୍ୟରେ ବାତ୍ୟାକୁ ସାଢ଼େ ୪ ମାସ ବିତି ଯାଇଥିଲେ ମଧ୍ୟ ମରାମତି ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କାଣିଚାଏ ବି ପଦକ୍ଷେପ ନେଇନାହାନ୍ତି। ହଷ୍ଟେଲଗୁଡ଼ିକ ଅବସ୍ଥା ବି ନ କହିବା ଭଲ। ଯେଉଁଥିପାଇଁ ନାକ୍ ‘ଏ+’ ଗ୍ରେଡ୍ ହାସଲ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୨୦୨୧ରେ ପୁଣିଥରେ ନାକ୍ ଟିମ୍ ଆସିବ। ଏବେ ବିଶ୍ବବିଦ୍ୟାଳୟ ଯେଉଁ ସ୍ଥିତି ଦେଇ ଗତି କରୁଛି, ସେତେବେଳକୁ ନାକ୍ ‘ଏ’ ଗ୍ରେଡ୍ ମିଳିବା କଷ୍ଟକର ହୋଇପଡ଼ିବ ବୋଲି ପ୍ରଫେସରମାନେ କହିଛନ୍ତି।