Odisha Link
Bridging the Missing Links in Odisha

ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଭାବେ ଯୋଗଦେଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଇଲେକଟ୍ରୋନିକ୍ସ ଓ ଇନଫରମେସନ୍ ଟେକ୍ନୋଲୋଜି ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନୁଭବ ପଟ୍ଟନାୟକ। ସୋମବାର ଦିନ ସେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ବିଭାଗୀୟ ସଚିବ ମନୋଜ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ବିଜୁ ଜନତା ଦଳର ଜଣେ ଦକ୍ଷ ନେତା ଭାବେ ପରିଚିତ ଶ୍ରୀ ପଟ୍ଟନାୟକ ପୂର୍ବରୁ ଖଣ୍ଡପଡ଼ାର ବିଧାୟକ ଥିଲେ।

କାର୍ଯ୍ୟରେ ଯୋଗ ଦେବାପରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ, ଆଇଟି, ଆଇଟିଇଏସ୍‌, ଇଏସ୍‌ଡିଏମ୍‌ ଶିଳ୍ପକୁ ଓଡ଼ିଶାରେ ସମୃଦ୍ଧ କରିବାର ଲକ୍ଷ୍ୟ ରହିଛି। ଏହି ସେକ୍ଟରରେ କିପରି ଅଧିକ ନିଯୁକ୍ତି ସୁଷ୍ଟି ହୋଇପାରିବ ସେଥିପାଇଁ ଉଦ୍ୟମ କରାଯିବ। ଆଇଟି ସେକ୍ଟରରେ ଓଡ଼ିଶା କିପରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ସେନେଇ ମଧ୍ୟ ଉଦ୍ୟମ ହେବ’’। ଏଥିସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଆମର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଅନୁଭବ। ଏଥିସହିତ ସାଧାରଣ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ , ଆଇଟି କ୍ଷେତ୍ରରେ ଆଧାରିତ ସେବା ଗୁଡ଼ିକୁ ଲାଗୁ କରିବା କ୍ଷେତ୍ରରେ ଓଡ଼ିଶା ଆଗରେ ରହିବ। ଏହାକୁ ଆମେ ଅଗ୍ରାଧିକାର ଦେବୁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

ଓଡ଼ିଶା ଜନସେବା ଅଧିକାର ଆଇନ ଅଧିନରେ ଜନସାଧାରଣଙ୍କୁ ବିଭିନ୍ନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସେବା ଯୋଗାଇ ଦେବା ପାଇଁ ଆମର ପ୍ରୟାସ ଜାରି ରହିବ। ମୋଟ ବଜେଟର ୧ ପ୍ରତିଶତ ଅର୍ଥ ପ୍ରତି ବିଭାଗ ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେ ମଧ୍ୟ ଲାଗୁ କରିବୁ ବୋଲି କହିଛନ୍ତି ଅନୁଭବ।

ଅଗଷ୍ଟ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ରୁ ଅଧିକ ବିଜେଡି ନେତାମାନଙ୍କୁ ବିଭିନ୍ନ ନିଗମ ଏବଂ ପରିଷଦରେ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରେ ଅନୁଭବଙ୍କୁ ଇ ଏଣ୍ଡ୍ ଆଇଟି ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା। ଗତକାଲି ଶ୍ରୀ ପଟ୍ଟନାୟକ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ସରକାର ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି।

Comments are closed.