Odisha Link
Bridging the Missing Links in Odisha

ବଂଶଧରା ଜଳ ବିବାଦ ଟ୍ରିବ୍ୟୁନାଲ: ଓଡ଼ିଶାର ଆବେଦନ ଖାରଜ

ନୂଆଦିଲ୍ଲୀ: ବଂଶଧରା ଜଳ ବିବାଦ ଟ୍ରିବ୍ୟୁନାଲ ମାମଲା ଆଜି ହେଲା ଶୁଣାଣି। ଏଥିରେ ଓଡ଼ିଶାର ଆବେଦନ ଖାରଜ ହୋଇଛି। ବଂଶଧରା ଜଳ ବିବାଦ ଟ୍ରିବ୍ୟୁନାଲ ଏପ୍ରିଲ ୫ ତାରିଖରେ ନେରେଡି ବ୍ୟାରେଜ ପ୍ରକଳ୍ପ ଅଞ୍ଚଳର ୧୦୬ ଏକର ଜମିର ଯୁଗ୍ମ ସର୍ଭେ କରିବା ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ବିରୋଧ କରି ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତୀକାଳିନ ଆବେଦନ କରାଯାଇଥିଲା। ଯାହାକୁ ଆଜି ଖାରଜ କରି ଦିଆଯାଇଛି।

ଟ୍ରିବ୍ୟୁନାଲଙ୍କ କହିବାନୁସାରେ, ଏପ୍ରିଲ ୫ ତାରିଖରେ ହୋଇଥିବା ଆବେଦନର ତୁରନ୍ତ କାର୍ଯ୍ୟକାରୀ କରାଯିବ। ନେରେଡି ବ୍ୟାରେଜ ପ୍ରକଳ୍ପ ଅଞ୍ଚଳର ୧୦୬ ଏକର ଜମିର ଯୁଗ୍ମ ସର୍ଭେ ପାଇଁ ଏକ ମ୍ୟାପ୍‌ ପ୍ରସ୍ତୁତ କରାଯିବ। ଯୁଗ୍ମ ସର୍ଭେ ଅର୍ଥାତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ନେଇ ହେବ।

ଯୁଗ୍ମ ସର୍ଭେକୁ କେନ୍ଦ୍ରୀୟ ଜଳ ଆୟୋଗର ତତ୍ତ୍ୱାବଧାନରେ ତ୍ୱରାନ୍ଵିତ କରାଯିବ। ଏହି ସର୍ଭେକୁ ମୌସୁମୀ ଶେଷ ତଥା ଅକ୍ଟୋବର ଶେଷ ସପ୍ତାହରେ କରାଯିବ। ଏହି ସର୍ଭେ ୬ ସପ୍ତାହ ଅର୍ଥାତ୍‌ ଡିସେମ୍ବର ୩୦ରୁ ସୁଦ୍ଧା ଶେଷ କରିବାକୁ ଟ୍ରିବ୍ୟୁନାଲ ଆଦେଶ ଦେଇଛନ୍ତି। ଆସନ୍ତା ବର୍ଷ ଜାନୁଆରି ୧୦ରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ଦୁଇ ରାଜ୍ୟକୁ ଏହି ସର୍ଭେ ସମୟରେ ପରସ୍ପରକୁ ସହଯୋଗ କରିବାକୁ ବି ଟ୍ରିବ୍ୟୁନାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.