Odisha Link
Bridging the Missing Links in Odisha

ଆସୁଛି ବଡ଼ ବର୍ଷା, ୨୫ ଓ ୨୬ ତାରିଖ ପାଇଁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ୨୫ ଓ ୨୬ ତାରିଖରେ ସ୍ଥିତି ଅଧିକ ଖରାପ ହେବ। ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଦୁଇ ଦିନ ପାଇଁ ଓଡ଼ିଶା ଲାଗି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରକୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ୨୫ ତାରିଖଠାରୁ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ବର୍ଷା ପରିମାଣ ବଢ଼ିବ। ଏହାର ୪୮ ଘଣ୍ଟା ପରେ ଅର୍ଥାତ୍‌ ୨୬ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ତଥା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାୟଲସୀମା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଉପକୂଳ, ଦକ୍ଷିଣ କେନ୍ଦ୍ରୀୟ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଭାରତରେ ତିନି ଦିନ ଧରି ବର୍ଷା ଲାଗିରହିବ।

ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ତେ‌ବେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖରେ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପୁରୀ, ଦେବଗଡ଼, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ ଓ ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିଭଳି ୨୬ ତାରିଖରେ ବରଗଡ଼ ଓ ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ଏବଂ ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ତି ଓ ନୟାଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।

Comments are closed.