Odisha Link
Bridging the Missing Links in Odisha

ଦିଲ୍ଲୀପ ପଣ୍ଡା ହେଲେ ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ଦଳ ତାର ପ୍ରାର୍ଥୀ ନାମ ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ନାମ ଘୋଷଣା କରିଛନ୍ତି। ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିବ। ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବରିଷ୍ଠ ନେତା ରିପୁନାଥ ସେଠ୍ ଓ ତାଙ୍କ ପୁଅ ଅଭିଷେକ ସେଠଙ୍କୁ ନିରାଶ ହେବାକୁ ପଡ଼ିଛି।

କଂଗ୍ରେସ ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲା। କମିଟି ଗତ ଦୁଇଦିନ ଧରି ବିଚାରବିମର୍ଶ କରିବା ପରେ ୫ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହ ବିଚାରବିମର୍ଶ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଦିଲ୍ଲୀପ ପଣ୍ଡାଙ୍କ ନାଁ ଉପରେ ମୋହର ମାରିଛନ୍ତି। ସୂଚନାଯୋଗ୍ୟ, ପିସିସି ପକ୍ଷରୁ ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର ଓ ରବୀନ୍ଦ୍ର ପଣ୍ଡାଙ୍କ ନାଁ ଏଆଇସିସିକୁ ପଠାଯାଇଥିଲା। ରିପୁ କିମ୍ବା ତାଙ୍କ ପୁଅଙ୍କୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଶ୍ରୀ ପଣ୍ଡାଙ୍କୁ ଦଳୀୟ ଟିକେଟ୍ ମିଳିଛି ।

Comments are closed.