Odisha Link
Bridging the Missing Links in Odisha

ଶିଳ୍ପ ସଂସ୍ଥା ନିର୍ମାଣ ପୂର୍ବରୁ ପ୍ରଥମେ ରାସ୍ତା ନିର୍ମାଣ କରାଯାଉ: ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର

ଭୁବନେଶ୍ୱର :ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଖୋର୍ଦ୍ଧାଠାରେ ଶିଳ୍ପାଞ୍ଚଳ ପରିଦର୍ଶନ କରି ଇନ୍‌ଫୋ-ଭ୍ୟାଲି ଅଞ୍ଚଳରେ ରହିଥିବା ଇଏମ୍‌ସି, ଇନ୍‌ଫୋସିସ୍‌, ଶାନ୍ତି ସୋଲାର, ସିଫୁଡ୍‌ ପାର୍କ, ବି. ୱାନ୍‌ ବିଜ୍‌ନେସ୍‌ ହାଉସ୍‌, ଏସ୍‌ଏମ୍‌ଏସ୍‌ ଗ୍ରୁପ୍‌, ଏଚ୍‌ସିସିବି ବିଜ୍‌ନେସ୍‌ ଇତ୍ୟାଦି ଶିଳ୍ପାନୁଷ୍ଠାନଗୁଡ଼ିକ ପରିଦର୍ଶନ କରିଥିଲେ । ପରିଦର୍ଶନ କାଳରେ ଓଡ଼ିଶାରେ ଶିଳ୍ପସଂସ୍ଥାର ଅଭିବୃଦ୍ଧି କ୍ଷେତ୍ରରେ ଇଡ୍‌କୋର କାର୍ଯ୍ୟକାରିତାକୁ ନେଇ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଓଡ଼ିଶାର ବିକାଶ କ୍ଷେତ୍ରରେ ଇଡ୍‌କୋ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ହେତୁ ଏହାର ବ୍ୟାପକ ସୁଦୃଢ଼ୀକରଣ ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଜୋର ଦେଇଥିଲେ ।

ଭବିଷ୍ୟତରେ କୌଣସି ଶିଳ୍ପର ନିର୍ମାଣ ଆରମ୍ଭ ପୂର୍ବରୁ ପ୍ରାଥମିକତା ଭିତ୍ତିରେ ସଡ଼କ ନିର୍ମାଣ କରାଗଲେ ଶିଳ୍ପ ନିର୍ମାଣ କାର୍ଯ୍ୟ ସୁବିଧାରେ ହୋଇପାରିବ ଏବଂ ଶିଳ୍ପ ସଂସ୍ଥାରେ ବେସ୍‌ମେଣ୍ଟ ରହିଲେ ଯାନବାହନ ପାର୍କିଂ ସକାଶେ ଯଥେଷ୍ଟ ସ୍ଥାନ ମିଳିପାରିବ । ଏହି ସମସ୍ତ କ୍ଷେତ୍ରକୁ ଦୃଷ୍ଟିରେ ରଖି ପ୍ଲାନ୍‌ ପ୍ରସ୍ତୁତ କରିବାକୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପରାମର୍ଶ ଦେଇଥିଲେ । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଛନ୍ତି ଯେ ଇନ୍‌ଫୋ-ଭ୍ୟାଲି ଅଞ୍ଚଳରେ ଇଏନ୍‌ସି ଦ୍ୱାରା ହେଲିପେଡ୍‌ର ନିର୍ମାଣ ହେବା ଉଚିତ ଯଦ୍ଦ୍ୱାରା କାର୍ଯ୍ୟନିର୍ବାହୀ ତଥା ବରିଷ୍ଠ ଅଧିକାରୀଙ୍କ ଯାତାୟତ କ୍ଷେତ୍ରରେ ସୁବିଧା ଓ ସମୟ ସଞ୍ଚୟ ହେବ, ଶିଳ୍ପାଞ୍ଚଳରେ ପୁଞ୍ଜି ଲଗାଣକାରୀ ସଂସ୍ଥାଗଣ ଆଗଭର ହୋଇପାରିବେ ଏବଂ ଇନ୍‌ଫୋଭ୍ୟାଲିର ଚାହିଦା ମଧ୍ୟ ବୃଦ୍ଧି ପାଇବ । ଶାନ୍ତି ସୋଲାର ୟୁନିଟ୍‌ ପରିଦର୍ଶନ କରି ନିର୍ମିତ ହେଉଥିବା ସୋଲାର ପ୍ୟାନେଲ୍‌ ବିକ୍ରିବଟା ଦିଗରେ ଅଧିକ ଯତ୍ନବାନ ହେବାକୁ ଶିଳ୍ପୋଦ୍ୟୋଗୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଖୁବ୍‌ଶୀଘ୍ର ପଲ୍ଲୀସଭା ଆୟୋଜନ କରି ଶିଳ୍ପାଞ୍ଚଳ ଓ ନିକଟସ୍ଥ ଗ୍ରାମରେ ବସବାସ କରୁଥିବା ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଉନ୍ନୟନ କାର୍ଯ୍ୟ କରାଯାଉ ବୋଲି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ସରପଞ୍ଚଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଇନ୍‌ଫୋ-ଭ୍ୟାଲି ସହ ସଂଯୋଗ କରୁଥିବା ଏନ୍‌ଏଚ୍‌-୧୬ ସଡକକୁ ଦୁର୍ଘଟଣା ପ୍ରତିରୋଧକ କରିବା ଓ ଶିଳ୍ପୋଦ୍ୟୋଗୀମାନଙ୍କୁ ଆକୃଷ୍ଟ କଲାଭଳି ଆକର୍ଷଣୀୟ ଆଧୁନିକ ଗେଟ୍‌ ଯଥାଶୀଘ୍ର ନିର୍ମାଣ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏନ୍‌ଏଚ୍‌-୧୬ରୁ ଇନ୍‌ଫୋ ସିଟିକୁ ସଂଯୋଗ କରୁଥିବା ରାସ୍ତାରେ ଫ୍ଲାଇ-ଓଭର ନିର୍ମାଣ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇନ୍‌ଫୋସିସ୍‌ର ଆଞ୍ଚଳିକ ପରିଚାଳକ ବିଶ୍ୱଜିତ୍‌ ନାୟକ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପୋଲିସ୍‌ ଷ୍ଟେସନ୍‌ ନିମନ୍ତେ ପୂର୍ବରୁ ସରକାରୀ ସ୍ତରରେ ଅନୁମୋଦନ ହୋଇସାରିଛି ଏବଂ ଏହାକୁ ମନ୍ତ୍ରୀ ନିଜେ ପରଖିବେ ବୋଲି ଜଣାଇଥିଲେ । ଫାୟାର ଷ୍ଟେସନ୍‌, ଗୀତା କଲେଜ୍‌ ରାସ୍ତା ଆଲୋକୀକରଣ ଇତ୍ୟାଦି ବିଷୟ ନେଇ ସୁବିସ୍ତୃତ ଆଲୋଚନା ହୋଇଥିଲା ଏବଂ ମନ୍ତ୍ରୀ ଇନ୍‌ଫେିସିସ୍‌ ପରିସରରେ ବୃକ୍ଷରୋପଣ କରିଥିଲେ । ମନ୍ତ୍ରୀ ଡେରାସଠାରେ ଥିବା ସି-ଫୁଡ୍‌ ପାର୍କ ପରିଦର୍ଶନ କରିଥିଲେ । ସି-ଫୁଡ୍‌ ପାର୍କ ନିମନ୍ତେ ରହିଥିବା ବୁଲାଣିଆ ରାସ୍ତାକୁ ପରିବର୍ତ୍ତିତ କରି ସିଧା ରାସ୍ତା ନିର୍ମାଣ କରିବା ଦିଗରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ସିଫୁଡ୍‌ ପାର୍କଠାରେ ବି-ୱାନ୍‌ ବ୍ୟାପାର ଗୃହରେ ପ୍ରକ୍ରିୟାକୃତ ସମୁଦ୍ରଖାଦ୍ୟ ସିଙ୍ଗାପୁରକୁ କିଭଳି ପ୍ରେରଣ କରାଯାଉଛି ତାହା ପରିଦର୍ଶନ କରି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଖୁସି ବ୍ୟକ୍ତ କରିଥିଲେ । ମନ୍ତ୍ରୀ ଖୋର୍ଦ୍ଧା ଏନ୍‌ଏଚ୍‌-୧୬ ନିକଟରେ ୨୦୦୦ ମସିହାଠାରୁ କାର୍ଯ୍ୟକ୍ଷମ ଥିବା ଓଡ଼ିଶାର ବୃହତ୍ତମ ଇଡ୍‌କୋ ଫୁଡ୍‌ପାର୍କ ପରିଦର୍ଶନ କରିଥିଲେ । ଏଯାବତ୍‌ ୪୬୬ କୋଟି ଟଙ୍କା ବିନିଯୋଗ ହୋଇ ୩୭.୭୮ ଏକର ଜମିରେ ୩୪ ପ୍ରତିଶତ ବନୀକରଣ କରାଯାଇ ନିର୍ମାଣ ହୋଇଥିବା ଦେଶର ବୃହତ୍ତମ ଜୁସ୍‌ ପ୍ରସ୍ତୁତ କାରଖାନା ପରିଦର୍ଶନ କରିବା ସହିତ ଏହାର ପ୍ରସ୍ତୁତ ପ୍ରଣାଳୀ ପରିଦର୍ଶନ କରି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଆନନ୍ଦିତ ହୋଇଥିଲେ ।

Comments are closed.