ପଦ୍ମ ଧରିଲେ ଅଲିମ୍ପିଆନ୍ ଯୋଗେଶ୍ୱର ଏବଂ ହକି ତାରକା ସନ୍ଦୀପ ସିଂହ

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର୍ ତଥା ପଦ୍ମଶ୍ରୀ ସମ୍ମାନିତ ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତି। ହରିଆଣା ବିଜେପି ମୁଖ୍ୟ ସୁଭାଷ ବରାଲାଙ୍କ ଉପସ୍ଥିତିରେ ଏହି ଦୁଇ ପ୍ରସିଦ୍ଧ କ୍ରୀଡ଼ାବିତ୍ ବିଜେପିରେ ଯୋଗ ଦେଇଛନ୍ତି। ଯୋଗେଶ୍ୱର ଅନ୍ତର୍ଜାତୀୟ ସ୍ତରରେ ବହୁ ରେସଲିଂ ପ୍ରତିଯୋଗୀତାରେ ଭାରତକୁ ପ୍ରତିନିଧିତ୍ୱ କରିବା ସହ ୨୦୧୪ କମନ୍ୱେଲ୍ଥରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଯୋଗେଶ୍ୱର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଲୋକଙ୍କ ସେବା କରିବାକୁ ଚାହେଁ। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛି। ମୁଁ ତାଙ୍କୁ ଦୀର୍ଘ ଦିନ ଧରି ଅନୁସରଣ କରୁଛି। କ୍ରୀଡ଼ାବିତ୍ଙ୍କ ସମେତ ଆଗକୁ ଆସି ଭଲ କାମ କରିବା ଗୁରୁତ୍ୱପୂର୍ଣ୍ଣ କଥା। ଏହି ପରିବାରରେ ସାମିଲ ହୋଇ ମୁଁ ଆନନ୍ଦିତ।”
ଅକ୍ଟୋବର ୨୦୧୯ରେ ହରିଆଣାରେ ବିଧାନସଭା ନିର୍ବାଚନ ଅଛି। ଠିକ୍ ଏହା ପୂର୍ବରୁ ହିଁ ଯୋଗେଶ୍ୱର ଏବଂ ସନ୍ଦୀପ ବିଜେପିରେ ଯୋଗ ଦେଇଛନ୍ତି। ଏମାନେ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ଲଢ଼ିବାର ସମ୍ଭାବନା ରହିଛି। ଯୋଗେଶ୍ୱର ସୋନପତ୍ରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ସେ ଏହା ପୂର୍ବରୁ ହରିଆଣା ପୁଲିସ୍ରୁ ଇସ୍ତଫା ଦେଇଛନ୍ତି।