Odisha Link
Bridging the Missing Links in Odisha

ରୋଗୀ ଦେଖୁଛନ୍ତି ନେତା

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ପାଇଁ ନୁହେଁ ସାରା ଓଡିଶା ପାଇଁ ଏକ ପରିଚିତ ନାମ। କଂଗ୍ରେସର ଅଭ୍ୟେଦ ଗଡ ବୋଲାଉଥିବା ତଳସରା ନିର୍ବାଚନ ମଣ୍ଡଳୀର ତିନି ତିନିଥରର ବିଧାୟକ। ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ହେଉକି ରାଜ୍ୟର କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ସେ ସମୟରେ ବିଧାନସଭାରେ ହୁଲୁସ୍ତୁଲ କରୁଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ପୁଣି ପୂର୍ବ ପେସାକୁ ଫେରିଛନ୍ତି ପ୍ରଫୁଲ।
ସୁନ୍ଦରଗଡ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ ପାଣ୍ଠି ତରଫରୁ ଚୁକ୍ତି ଭିତ୍ତିକ ଡାକ୍ତର ନିଯୁକ୍ତି କରୁଥିବା ଜାଣିବା ପରେ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ ପୁଣି ନିଜ ପେଶାକୁ ଆପଣାଇ ନେଇଛନ୍ତି। ଦିନ ଥିଲା ଲୋକଙ୍କ ଦାବି ନେଇ ବିଧାନସଭାରେ ଉପସ୍ଥାପନ କରୁଥିଲେ। ଆଜି ପଦବୀ ନାହିଁ, ହେଲେ ଜାରି ରହିଛି ଜନତାଙ୍କ ସେବା। ଡାକ୍ତର ଭାବେ ନିଜ ଅଞ୍ଚଳର ରୋଗୀଙ୍କୁ ସେବା ଯୋଗାଇବା ପାଇଁ ପୁଣି ଆସିଛନ୍ତି। ନିଯୁକ୍ତି ପାଇବା ପରେ ତଳସରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ମେଡିକାଲ ଅଫିସର ଭାବରେ ଯୋଗଦାନ କରିବା ସହ ରୋଗୀ ସେବା ଆରମ୍ଭ କରିଛନ୍ତି।
ତଳସରା ଅଞ୍ଚଳରେ ଡାକ୍ତର ନଥିଲେ। ଲୋକଙ୍କ ଅସୁବିଧାକୁ ଅନୁଭବ କରି ପୁଣି ଡାକ୍ତରଖାନା ଫେରିଛନ୍ତି। ପ୍ରତି ସପ୍ତାହରେ ୫ ଦିନ ଆସିବା ସହ ଦିନକୁ ୪ ଘଣ୍ଟା କାମ କରୁଛନ୍ତି। ଅନ୍ୟପଟେ ଆବଶ୍ୟକ ହେଲେ ଆଠ ଘଣ୍ଟା ସମୟ ଦେବି ବୋଲି ସେ କହିଛନ୍ତି। ତେବେ ନୂଆ ଡାକ୍ତରଙ୍କୁ ପାଇ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟକ ହୋଇଥିବାରୁ ସେ ଅଧିକ ସମୟ ମେଡିକାଲ ପାଇଁ ଦେଇ ରୋଗୀ ସେବା କରିବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶା ରଖିଛନ୍ତି|

Comments are closed.